Report Card Odisha

| Daily Odia News

ନସୁଧୁରିଲେ ଲୋକେ ବିଦା କରିଦେବେ:ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୪ଟି ରାଜ୍ୟ ମଧ୍ୟରୁ ୩ଟି ରାଜ୍ୟର ନିର୍ବାଚନରେ ବିଜେପି ବାଜିମାତ କରିଛି | ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବିରୋଧୀ ଦଳ ଉପରେ ପ୍ରବଳ ମାତ୍ରାରେ ବର୍ଷିଛନ୍ତି । ସେ ବିରୋଧୀଙ୍କୁ ସତର୍କ କରାଇ ଦେଇଛନ୍ତି। ହିନ୍ଦୀ ଭାଷାଭାଷୀ ବହୁଳ ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଦଳର ବିଜୟ ପରେ ଉକ୍ତ ଫଳାଫଳ ୨୦୨୪‌ ସାଧାରଣ ନିର୍ବାଚନରେ ହ୍ୟାଟ୍‌-ଟ୍ରିକ୍‌ ପାଇଁ ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ ଦ‌ୃଢ଼ୋକ୍ତି ବାଢ଼ିଛନ୍ତି। ବିଜେପି ମୁଖ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ବିଜୟ ଐତିହାସିକ ଓ ଅପ୍ରତ୍ୟାଶିତ। ସବ୍‌କା ସାଥ୍‌, ସବ୍‌କା ବିକାଶ ଭାବନାର ବିଜୟ। ବିକଶିତ ଭାରତ ପାଇଁ ଆହ୍ବାନର ବିଜୟ। ନିଷ୍ପେସିତ ସ୍ବରର ବିଜୟ। ସାଧୁତା ଏବଂ ସୁଶାସନର ବିଜୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କିଛି ଲୋକ ‌କହୁଛନ୍ତି ଏହି ହ୍ୟାଟ୍‌-ଟ୍ରିକ୍‌ ବା ତିନିଟି ରାଜ୍ୟରେ ବିଜୟ ୨୦୨୪ ବିଜୟ ପାଇଁ ଗ୍ୟାରେଣ୍ଟି ଦେଇଛି ବୋଲି ‌ମୋଦୀ କହିଛନ୍ତି। ଆଜିର ଜନାଦେଶ ପ୍ରମାଣ କରିଛି ଯେ ଦୁର୍ନୀତି, ସନ୍ତୁଷ୍ଟୀକରଣ ଏବଂ ବଂଶବାଦ ରାଜନୀତି ପାଇଁ ଲୋକଙ୍କ ମଧ୍ୟରେ ଶୂନ ସହନଶୀଳତା ରହିଛି। ଏଥିସହିତ ପ୍ରଧାନମନ୍ତ୍ରୀ ସିଧାସଳଖ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରିଛନ୍ତି। ନିର୍ବାଚନ ଫଳ କଂଗ୍ରେସ ଏବଂ ଘମଣ୍ଡିଆ ମେଣ୍ଟ ପାଇଁ ଏକ ବଡ଼ ଶିକ୍ଷା। ଦୁର୍ନୀତି ବିରୋଧୀ ଅଭିଯାନକୁ‌ ଜୋରଦାର ସମର୍ଥନ ମିଳୁଛି। ସେମାନେ ଭୋଟରମାନଙ୍କ ଠାରୁ ସ୍ପଷ୍ଟ ସଂକେତ ମଧ୍ୟ ପାଉଛନ୍ତି। ଦୁର୍ନୀତିଗ୍ରସ୍ତ ନେତା ଏବଂ ଦଳଙ୍କ ସହିତ ଯେଉଁମାନେ ରହୁଛନ୍ତି ସେମାନଙ୍କୁ ଭୋଟରମାନେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ଯେତେବେଳେ ବିକାଶ ହେଉଛି ସେତେବେଳେ କଂଗ୍ରେସ ଏବଂ ଏହାର ମେଣ୍ଟ ତାହାକୁ ବିରୋଧ କରୁଛି। ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରିବାକୁ ଯାଇ ମୋଦୀ କହିଛନ୍ତି ଯେଉଁମାନେ ଦେଶବ୍ୟାପୀ ଜାତିଗତ ଜନଗଣନା କରିବାକୁ ଆହ୍ବାନ ଦେଉଛନ୍ତି ସେମାନେ ଦେଶକୁ ଜାତି ଭିତ୍ତିରେ ଭାଗ ଭାଗ କରୁଛନ୍ତି। କିନ୍ତୁ ମୁଁ ସବୁବେଳେ କହି ଆସିଛି ଦେଶରେ ୪ଟି ସଂପ୍ରଦାୟ ଅଛନ୍ତି। ସେମାନେ ହେଲେ ମହିଳା, ଯୁବ, କୃଷକ ଏବଂ ଗରିବ।

Breaking News