ରିପୋର୍ଟ କାର୍ଡ / ଭୁବନେଶ୍ବର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରକୁ ୧୧ବର୍ଷ ପୂରିଥିବା ବେଳେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରକୁ ଏକବର୍ଷ ପୂରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଜନତା ମଇଦାନରେ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ରାଜ୍ୟ ସରକାରଙ୍କ ୨୦୩୬ ଭିଜନ ଡକୁମେଣ୍ଟ ଉନ୍ମୋଚନ କରିବା ସହିତ ୧୮ହଜାର ୬୦୦ କୋଟି ଟଙ୍କାର ୧୦୫ଟି ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏଥିସହିତ ବୟୋବନ୍ଦନା କାର୍ଡ ବଣ୍ଟନ, ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ପକ୍କାଘର ନିର୍ମାଣ କାର୍ଯ୍ୟାଦେଶ, ଓଡ଼ିଶା ସରକାର ୧୭ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିଥିବାରୁ ୫ଜଣ ଲକ୍ଷପତି ଦିଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। କିଛି ନୂଆ ଯୋଜନା ଶୁଭାରମ୍ଭ ସହ ଭଦ୍ରକ ଜିଲାରେ ୧୨୩ କୋଟି ଟଙ୍କାରେ ନିର୍ମିତ ନୂତନ କାରାଗାରକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ।ସେହିପରି ମୋଦୀ ଓଡ଼ିଶା ଗସ୍ତକାଳରେ୨୭୫୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ।ଖୋର୍ଦ୍ଧାରୋଡ-ବଲାଙ୍ଗିର ରେଳ ପ୍ରକଳ୍ପର ସୁବର୍ଣ୍ଣପୁର-ପୁରୁଣାକଟକ ରେଳ ଲାଇନକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ବୌଦ୍ଧ ଜିଲ୍ଲା କୁ ପ୍ରଥମ କରି ରେଳ ଚଳାଚଳ କରିବ। ୫ଟି ରେଳ ଉଦ୍ଘାଟନ କରି ବୌଦ୍ଧ ଜିଲ୍ଲା ଏବଂ ବଲାଙ୍ଗିର ଜିଲ୍ଲାକୁ ରେଳ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଗସ୍ତ ସମୟରେପ୍ରଧାନମନ୍ତ୍ରୀ ସରଳା-ଶାସନ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଝାରସୁଗୁଡ଼ା-ସମ୍ବଲପୁର ରେଳ ସେକ୍ସନରେ ଟ୍ରାଫିକ ଭିଡ ହ୍ରାସ କରିବ। ପ୍ରଧାନମନ୍ତ୍ରୀ ସୁବର୍ଣ୍ଣପୁର-ପୁରୁଣାକଟକ ମଧ୍ୟରେ ୭୩ କି.ମି.ଲମ୍ବା ନୂତନ ରେଳ ଲାଇନର ଉଦ୍ଘାଟନ କରିବେ। ଏହି ରେଳ ଲାଇନ ୩୦୧କି.ମି. ଲମ୍ବା ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ଲାଇନର ଏକ ଅଂଶ। ଏହାର ନିର୍ମାଣ ସହିତ ବୌଦ୍ଧ ଜିଲ୍ଲା ମୁଖ୍ୟାଳୟକୁ ପ୍ରଥମଥର ପାଇଁ ରେଳ ସଂଯୋଗ ହେବାକୁ ଯାଉଛି।ଅପରାହ୍ଣ ୩ଟା ୪୫ମିନିଟରେ ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନ ଦ୍ବାରା ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ କେନ୍ଦ୍ର ଓ ରାଜ୍ୟ ବିଜେପିରଶୀର୍ଷସ୍ତରୀୟ ନେତୃବୃନ୍ଦ ଏବଂ ବିଜେପି କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବେ। ପରେ ବିମାନ ବନ୍ଦରଠାରେ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇ ରୋଡ୍ ଶୋ’ରେ ବାହାରିବେ। କଳିଙ୍ଗ ଷ୍ଟାଡିୟମଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ବିଶାଳ ରୋଡ଼ ଶୋ’ କରାଯିବ।ରାସ୍ତାର ଉଭୟ ପାର୍ଶ୍ବରେ ବିଜେପି କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣଙ୍କୁ ଅଭିବାଦନ ଜଣାଇବେ ପ୍ରଧାନମନ୍ତ୍ରୀ। ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାରିକେଡ୍ କରାଯାଇଛି। ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାସ୍ତା ପାର୍ଶ୍ବରେ ୨୮ଟି ସ୍ଥାନରେ ଓଡ଼ିଆ ଅସ୍ମିତାର ଝଲକ ବିଭିନ୍ନ ପ୍ରକାର ବାଦ୍ୟ, ନୃତ୍ୟ ଏବଂ ସଙ୍ଗୀତ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରାଯିବ। ରୋଡ୍ ଶୋ’ ପରେ ପ୍ରଧାନମନ୍ତ୍ରୀ ଜନତା ମଇଦାନସ୍ଥିତ ସଭାସ୍ଥଳରେ ଅପରାହ୍ଣ ୪ଟା ୧୫ମିନିଟରେ ପହଞ୍ଚିବେ।କାର୍ଯ୍ୟକ୍ରମ ପରେ ସେଠାରୁ ସନ୍ଧ୍ୟା ୬ଟା ପୂର୍ବରୁ ମୋଦୀ ବିମାନ ବନ୍ଦର ଯାଇ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀଙ୍କ କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ବିଶାଳ ରୋଡ ଶୋ’ରେ ଯିବେ। ପ୍ରାୟ ୨ଲକ୍ଷ ଲୋକ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ନିର୍ବାଚନ ମଣ୍ଡଳୀରୁ ଲୋକ ଆଣିବା ପାଇଁ ସାଂସଦ, ବିଧାୟକ, ଜିଲା ସଭାପତି ଏବଂ ମଣ୍ଡଳ ସଭାପତିଙ୍କୁ ପାର୍ଟି ପକ୍ଷରୁ ନିର୍ଦେଶ ଦିଆଯାଇଛି। ଦୂରଦୂରାନ୍ତରୁ ରାଜଧାନୀକୁ ଲୋକ ଆସିବା ଆରମ୍ଭ କରିଛନ୍ତି।ଗୁରୁବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ସରକାରଙ୍କ ଏକ ବର୍ଷପୂର୍ତ୍ତି ସମାରୋହ ଉପଲକ୍ଷେ ଆୟୋଜିତ ଜନତା ମଇଦାନ ସଭାସ୍ଥଳର ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସଭାସ୍ଥଳ ବୁଲି ଦେଖିବା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯେପରି କୌଣସି ତ୍ରୁଟି ନରହେସେଥିପ୍ରତି ସଜାଗ ରହିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।
More Stories
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସ ନେତା ଅଟକ…..
ଏନକାଉଣ୍ଟରରେ ୨ ନକ୍ସଲ ନିହତ….
ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଆଜି ଚକାକୁ ବିଜେ…..