Report Card Odisha

| Daily Odia News

ଇସ୍ରାଏଲକୁ ସାମରିକ ସହାୟତା କଲା ଆମେରିକା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇସ୍ରାଏଲ-ହମାସ ଯୁଦ୍ଧ ୧୨ ଦିନରେ ପହଞ୍ଚିଛି। ଦିନକୁ ଦିନ ଯୁଦ୍ଧ ଅଧିକ ଜଟିଳ ହେବ ସହ ଧନଜୀବନ ନଷ୍ଟ ହେଉଛି | ଗାଜା ହସ୍ପିଟାଲ୍‌ରେ ବିସ୍ଫୋରଣ ହୋଇ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବାପରେ ଯୁଦ୍ଧ ସ୍ଥିତି ଅଧିକ ଭୟଙ୍କର ହୋଇଯାଇଛି। ଅନ୍ୟପକ୍ଷେ ଜାତିସଂଘ କହିଛି ଯେ ଗାଜାରେ ଏକ ସ୍କୁଲ୍‌ରେ ୪ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଥିବାବେଳେ ଇସ୍ରାଏଲ ସେଠାରେ ରକେଟ୍‌ ମାଡ଼ କରିଛି। ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତକାଲି ହସ୍ପିଟାଲ ଆକ୍ରମଣକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ କଡ଼ା ନିନ୍ଦା କରିଛନ୍ତି। ଗାଜାରେ ମୋଟ୍‌ ମୃତ୍ୟୁସଂଖ୍ୟା ୩୩୦୦ ଟପିଯାଇଛି। ଅନ୍ୟପକ୍ଷେ ଇସ୍ରାଏଲ‌ରେ ମୃତକଙ୍କ ସଂଖ୍ୟା ୧୪୦୦ ଟପିଛି। ଯୁଦ୍ଧ ଘନଉଥିବା ବେଳେ ଆମେରିକା ଇସ୍ରାଏଲକୁ ସାମରିକ ସହାୟତା ବୃଦ୍ଧି କରିଛି। ଆମେରିକା ଇସ୍ରାଏଲକୁ ଅଧିକ ଯୁଦ୍ଧ ଜାହାଜ ଏବଂ ଯୁଦ୍ଧ ବିମାନ ପଠାଇଛି। ପ୍ରାୟ ୨ ହଜାର ସୈନିକଙ୍କୁ ଆମେରିକା ପ୍ରସ୍ତୁତ ରଖିଛି ଏବଂ ସେମାନଙ୍କୁ ଇସ୍ରାଏଲ ସେନାକୁ ସହାୟତା ଦେବାପାଇଁ ମୁତୟନ କରାଯିବ। ଇତି ମଧ୍ୟରେ ସାଉଦି ଆରବ ବିଦେଶ ମନ୍ତ୍ରୀ ଆଜି ତାଙ୍କ ଇରାନ ପ୍ରତିପକ୍ଷଙ୍କୁ ଭେଟିଛନ୍ତି ଏବଂ ଗାଜା ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଇସ୍ରାଏଲ ଅକ୍ତିଆରରେ ଥିବା ୱେଷ୍ଟ ବ୍ୟାଙ୍କ୍‌ର ରମଲ୍ଲା ନିକଟରେ ଇସ୍ରାଏଲୀ ସେନାବାହିନୀ ସହ ପାଲେଷ୍ଟିନୀୟମାନେ ସଂଘର୍ଷ କରିଛନ୍ତି ଏବଂ ଇସ୍ରାଏଲୀ ସେନା ଉପରକୁ ପଥର ମାଡ଼ କରିଥିବା ଜଣାପଡ଼ିଛି। ଇତିମଧ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗାଜା ହସ୍ପିଟାଲ ବିସ୍ଫୋରଣକୁ ଅତି ଭୟଙ୍କର ବିପର୍ଯ୍ୟୟ ବୋଲି କହିଛନ୍ତି। କଥାବାର୍ତ୍ତା ମାଧ୍ୟମରେ ଏହି ବିବାଦ ଶୀଘ୍ର ଶେଷ ହେବା ଉଚିତ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଆମେରିକା ଗାଜା, ସୁଦାନ, ତୁର୍କୀ, ଆଲଜେରିଆ ଏବଂ କତାରରେ ହମାସ ସହ ଜଡ଼ିତ ବ୍ୟକ୍ତିଙ୍କ ଉପରେ କଟକଣା ଲଗାଇଛି। ତୁର୍କୀ ଓ ଲେବାନନରେ ଥିବା ଆମେରିକୀୟ ନାଗରିକମାନେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ଆମେରିକା ସତର୍କ କରାଯାଇଛି। ଅନ୍ୟପକ୍ଷରେ ଇସ୍ରାଏଲ ନିଜ ନାଗରିକମାନଙ୍କୁ ତୁର୍କୀ ଛାଡ଼ିବାକୁ କହିଛି।

 

Breaking News