ରିପୋର୍ଟ କାର୍ଡ / ନବରଙ୍ଗପୁର
ଦେଢ଼ ବର୍ଷର ପ୍ରେମ ସମ୍ପର୍କକୁ କ୍ଷଣକ ଭିତରେ ଛିନ୍ନ କରି ଦେଲା ପ୍ରେମିକ । ପ୍ରେମିକାକୁ ମାରି ୩୧ ଖଣ୍ଡ କରି ଜଙ୍ଗଲ ଭିତରେ ପୋତିଦେଲା |ଏଭଳି ବିବତ୍ସ ହତ୍ୟାକାଣ୍ଡ ଘଟିଛି ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ । ଏନେଇ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ପ୍ରେମିକ ଓ ତାଙ୍କ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ- ରାଇଘର ଥାନା ବାଘବେଡ଼ା ଗାଁର ଲୁବୁ ଗଣ୍ଡଙ୍କ ୨୩ ବର୍ଷୀୟ ଝିଅ ତିଲବତୀ ମୁରୁମଡିହି ଗ୍ରାମର ଚନ୍ଦ୍ର ରାଉତଙ୍କୁ ପ୍ରେମ କରୁଥିଲେ। ପତ୍ନୀ ଓ ୫ ଛୁଆ ଥାଇ ମଧ୍ୟ ତିଲବତୀଙ୍କୁ ଭଲ ପାଉଥିଲେ ଚନ୍ଦ୍ର। ଦେଢ଼ ବର୍ଷ ଧରି ଚାଲିଥିଲା ପ୍ରେମ । ହେଲେ ଝିଅ ପ୍ରେମ ସମ୍ପର୍କରେ କିଛି ଜାଣିପାରିନଥିଲେ ବାପା ଲୁବୁ ଗଣ୍ଡ। ତେବେ ଗତ ବୁଧବାର ସନ୍ଧ୍ୟା ବେଳେ କାହାକୁ କିଛି ନକହି ଘରୁ ବାହାରି ଆସିଥିଲେ ତିଲବତୀ। ହେଲେ ଘରକୁ ଫେରିନଥିଲା ଝିଅ। ଏହାପରେ ବ୍ୟସ୍ତ ହୋଇ ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ। ତିଲବତୀଙ୍କ କୌଣସି ପତ୍ତା ପାଇନଥିଲେ। ତା’ପର ଦିନ ପରିବାର ଲୋକ ବନ୍ଧୁବାନ୍ଧବ ଓ ସାଙ୍ଗ ସାଥୀଙ୍କ ଘରକୁ ଯାଇ ଖୋଜାଖୋଜି କରିଥିଲେ। ଏହି ଖବର ଗାଁରେ ପ୍ରଚାରିତ ହେବା ପରେ ତିଲବତୀଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିଥିଲା। ମୁରୁମଡିହି ଗାଁର ଚନ୍ଦ୍ରଙ୍କୁ ତିଲବତୀ ପ୍ରେମ କରୁଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହା ପରେ ପରିବାର ଲୋକ ଚନ୍ଦ୍ରଙ୍କ ଗାଁକୁ ଯାଇଥିଲେ। ତିଲବତୀଙ୍କ ସମ୍ପର୍କରେ ପଚାରିଥିଲେ। ମାତ୍ର ସେ ଧରାଛୁଆଁ ଦେଇନଥିଲେ। ତେବେ ତିଲବତୀଙ୍କୁ ହତ୍ୟା କରାଯାଇଥିବା ମୁରୁମଡିହି ଗାଁ ଲୋକଙ୍କଠାରୁ ଶୁଣିବାକୁ ପାଇଥିଲେ ଲୁବୁ ଗଣ୍ଡଙ୍କ ପରିବାର ଲୋକେ। ଏହା ପରେ ଏନେଇ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ଉଠାଇ ଆଣି ଜେରା କରିଥିଲା। ଜେରା ବେଳେ ସେମାନେ ତିଲବତୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ତିଲବତୀଙ୍କୁ ମାରିବା ମୁରୁମଡିହି ଗ୍ରାମ୍ୟ ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ଶରୀରକୁ ଚପଡରେ ହାଣି ୩୧ ଖଣ୍ଡ କରିଥିଲେ। ତା’ପରେ ତା’ ଡ୍ରେସ୍କୁ ପୋଡ଼ି ଦେଇଥିଲେ। କାଟିଥିବା ମୃତଦେହକୁ ଗାତ ଖୋଳି ପୋତି ଦେଇଥିବା ଅଭିଯୋଗ ହୋଇଥିଲା। ଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ବୟାନ୍ ଆଧାରରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଜଙ୍ଗଲରେ ମାଟି ତଳୁ ତିଲବତୀଙ୍କ ମୃତଦେହ ଜବତ କରିଛି। ଏଥିସହ ଯେଉଁ ସ୍ଥାନରେ ତିଲବତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରାଯାଇଥିଲା ଓ ତାଙ୍କ ଡ୍ରେସ୍ ପୋଡ଼ା ଯାଇଥିଲା, ସେହି ସ୍ଥାନରେ ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରୁଛି । ରାଇଘର ପୋଲିସ ଏବେ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….