Report Card Odisha

| Daily Odia News

ମୁଖ୍ୟ ସଚିବଙ୍କୁ ଜବାବ ତଲବ କଲେ ଅନୁସୂଚିତ ଜନଜାତି ଆୟୋଗ…

ରିପୋର୍ଟ କାର୍ଡ / ଭୁବନେଶ୍ୱର 

ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ସ୍ଥାପନ ପାଇଁ ଆଦିବାସୀଙ୍କୁ ନିଜର ଭିଟାମାଟି ହରାଇବାକୁ ପଡ଼ୁଛି । ସେମାନେ ବାସହୀନ ହେବା ସହ ସେମାନଙ୍କର ଜୀବିକା ପ୍ରଭାବିତ ହେଉଛି । କେବଳ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୫୮ ପ୍ରତିଶତ ଆଦିବାସୀଙ୍କୁ ବିସ୍ଥାପିତର ସମ୍ମୁଖୀନ ହେବାକୁ ପଡ଼ିଛି । ଏଭଳି ସଙ୍ଗୀନ ଅଭିଯୋଗ ପରେ ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ୧୫ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ମହାପାତ୍ରଙ୍କ ଆବେଦନ ଉପରେ ରାଜ୍ୟ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଗତକାଲି ରାଜ୍ୟ ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କୁ ନୋଟିସ୍ ପଠାଇ ଓଡ଼ିଶାରେ ଆଦିବାସୀଙ୍କ ବିସ୍ଥାପିତ ପ୍ରସଙ୍ଗରେ ୧୫ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଜଳସେଚନ, ଶିଳ୍ପ, ଡ୍ୟାମ ନିର୍ମାଣ ଓ ଅନ୍ୟାନ୍ୟ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଆଦିବାସୀମାନଙ୍କୁ ନିଜର ବର୍ଷ ବର୍ଷର ଭିଟାମାଟି ହରାଇବାକୁ ପଡ଼ୁଛି । ସମ୍ବଲପୁରର ହୀରାକୁଦ ଡ୍ୟାମ, କୋରାପୁଟର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ, ବଲାଙ୍ଗିରର ଲୋଏର ସୁକତେଲ ପ୍ରକଳ୍ପ, ଅନୁଗୁଳରେ ରେଙ୍ଗାଳି ବହମୁଖୀ ପ୍ରକଳ୍ପ, ମାଲକାନଗିରିର ବାଲିମେଳ ଜଳଭଣ୍ଡାର ଓ ଅନ୍ୟାନ୍ୟ ବିଭିନ୍ନ ପ୍ରକଳ୍ପ ପାଇଁ ଆଦିବାସୀମାନଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି । ବିସ୍ଥାପିତ ହୋଇଥିବା ଅଧିକାଂଶ ଗାଁକୁ ରାସ୍ତା,ପୋଲ, ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ସ୍ୱାସ୍ଥ୍ୟଗତ ସୁବିଧା ଭଳି ମୌଳିକ ସୁବିଧା ମଧ୍ୟ ନାହିଁ । ଖାଦ୍ୟ ଅଭାବର ଆଶଙ୍କା ସବୁବେଳେ ଲାଗି ରହିଥାଏ । ଯାହାକି ସିଧାସଳଖ ଏହି ବିସ୍ଥାପିତ ଆଦିବାସୀମାନଙ୍କ ମାନବାଧିକାରକୁ ଉଲ୍ଲଘଂନ ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି ।

Breaking News