ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଗକୁ ପୌର ଓ ପଞ୍ଚାୟତ ଭୋଟ ଏହାକୁ ଦୃଷ୍ଟିରେ ରଖି ବିଜେଡି ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଛି | ଲୋକଙ୍କ ସହ ମିଶ । ସେମାନଙ୍କ ସୁଖ-ଦୁଃଖ ବୁଝ । ଯେଉଁଠି ଲୋକମାନେ କିଛି ନୂଆ ପ୍ରକଳ୍ପ ଚାହୁଁଛନ୍ତି ତାହାକୁ ବିଚାରକୁ ନେଇ ପ୍ରକଳ୍ପ କାମ ତ୍ୱରିତ କରାଅ । ପ୍ରତି ପଞ୍ଚାୟତରେ ଦଳର ସଂଗଠନକୁ ସଜାଡ଼ । ସଙ୍ଗଠାକୁ ଆହୁରି ବଳୁଆ କରିବାକୁ ଦଳର ବିଧାୟକମାନଙ୍କୁ ଆହ୍ୱାନ କରିଛନ୍ତି ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୌର ଓ ପଞ୍ଚାୟତ ଭୋଟ ପାଇଁ ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କର । କମର କଷି ବଳ ଗୋଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ମହାମାରୀ ସମୟରେ ଲୋକମାନଙ୍କର ଅଭାବ ଓ ଅସୁବିଧାକୁ ଶୁଣ ଓ ସମାଧାନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ପ୍ରଥମ ଦଫାରେ କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଦଳୀୟ ବିଧାୟକମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି । ଏ ଆଲୋଚନା ବେଳେ ଦଳର ସଂଗଠନ ଉପରେ ସେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ବୁଥସ୍ତରରରୁ ଦଳକୁ ମଜବୁତ କରିବାକୁ ସେ ଦଳର ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାଛଡ଼ା ପ୍ରତି ଜିଲ୍ଲାରେ ଦଳର କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ହୋଇଥିବାରୁ ଏଥିପାଇଁ ଜମି ଚିହ୍ନଟ ଓ ଶ୍ରମଦାନ ଉପରେ ନବୀନ ଜୋର ଦେଇଛନ୍ତି । ସଂଗଠନକୁ ଅଧିକ ଚଳଚଞ୍ଚଳ କରିବା ସହ ଲୋକଙ୍କ ପାଖକୁ ଯିବାକୁ ସେ ପରାମର୍ଶ ଦେଇଛନ୍ତି । ଆଗକୁ ପର୍ଯ୍ୟାୟକ୍ରମେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାର ବିଧାୟକମାନଙ୍କ ସହ ଆଲୋଚନା କରିବେ ବୋଲି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି|
Discussion about this post