ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିର୍ବାଚନରେ ବିଜେଡି ହାରିବା ପାଇଁ ଭି.କେ ପାଣ୍ଡିଆନ ଦାୟୀ ବୋଲି ପୂର୍ବରୁ ଦଳର କେତେକ ନେତା କହିଥିଲେ। ଆଜି ବିଜେଡି ନେତା ତଥା ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା ପ୍ରତିକ୍ରିୟା ଦେଇଛନ୍ତି,ସେଥିରେ ସେ ଦଳର ପରାଜୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି। ସୁଶାନ୍ତ ବେହେରା କହିଛନ୍ତି ଯେ, ଦଳ ଟିକେ ଭୁଲ୍ ବାଟରେ ପରିଚାଳିତ ହୋଇଥିଲା। କିନ୍ତୁ ଏବେ ଆଉ ସେହି ଭୁଲ ପନ୍ଥା ଆପଣାଇ ନାହିଁ। ଏବେ ଦଳ ଠିକ୍ ରାସ୍ତାକୁ ଆସି ସାରିଲାଣି। ଦଳକୁ ସାଧାରଣତଃ ତତ୍କାଳୀନ ମାନ୍ୟବର ମୁଖ୍ୟମନ୍ତ୍ରୀ ଟିକେ ବୋଧେ ଅଣଦେଖା କଲେ। ଯାହା ଫଳରେ ଦଳ ପରାଜିତ ହେଲା। ଦଳର ସଭାପତି ନିଜେ ସମସ୍ତ ସଭାସମିତିରେ ଯୋଗ ଦେବା ବଦଳରେ ତାଙ୍କ ପ୍ରତିନିଧି ଯୋଗ ଦେବା ଯୋଗୁ ଦଳର କିଛି କର୍ମୀ ଓ ବ୍ୟକ୍ତିତ୍ୱ ଅସନ୍ତୁଷ୍ଟ ହୋଇଥିଲେ। ତେଣୁ ଏହା ମଧ୍ୟ ଦଳର ପରାଜୟର ଆଉ ଏକ କାରଣ। ପରିଚାଳନାଗତ ତ୍ରୁଟି ଯୋଗୁ ଦଳ ହାରିଛି। ସେ କହିଛନ୍ତି, ବରିଷ୍ଠ ନେତାମାନଙ୍କୁ ଟିକେ ଉପେକ୍ଷା କରାଯାଇଥିଲା ବୋଲି ଆମେ ବିଶ୍ୱାସ କରୁଥିଲୁ। କିନ୍ତୁ ବାସ୍ତବରେ ସେମିତି କିଛି ହୋଇନାହିଁ। ଦଳ ଯେହେତୁ ଲଗାତାର ୨୫ ବର୍ଷ ଶାସନରେ ରହିସାରିଥିଲା, ତେଣୁ ଲୋକେ ମନ ପରିବର୍ତ୍ତନ କରିଥିଲେ। ସେମାନେ ନୂତନତ୍ୱ ଚାହୁଁଥିଲେ। ତେଣୁ ସେଥିପାଇଁ ମଧ୍ୟ ବିଜେଡିର କିଛି କ୍ଷତି ହୋଇଛି। ବରିଷ୍ଠ ନେତା ଦଳରେ ଅଛନ୍ତି। ଦଳର ପରାଜୟ ପରେ ସେମାନେ କ୍ଷୋଭ ପ୍ରକାଶ କରିଥିଲେ। କିନ୍ତୁ ସେକଥା ବେଶୀ ଦିନ ରହିବ ନାହିଁ। ବରିଷ୍ଠ ନେତାମାନଙ୍କୁ ସ୍ୱତନ୍ତ୍ର ଭାବେ ଗୋଟିଏ କମିଟିରେ ରଖାଯାଇଛି ଓ ସେମାନେ ଦଳ କେମିତି ଆଗକୁ ଯିବ, ସେନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି। ବିଜେଡିରେ ଅନ୍ତଃକନ୍ଦଳ ନାହିଁ। ବିଜେଡି ସଂଗଠିତ ହୋଇ ରହିଛି ଓ ଆଗକୁ ମଧ୍ୟ ରହିବ। ଦଳ ଆଗାମୀ ନିର୍ବାଚନରେ ୧୨୦ରୁ ଅଧିକ ସିଟ୍ ଜିତି ପୁଣି ସରକାର କରିବ। ଦଳ ସକ୍ରିୟ ଅଛି। ଜନସାଧାରଣ ମଧ୍ୟ ଜାଣି ସାରିଲେଣି ଯେ ବିଜେପି ସରକାର ମିଥ୍ୟାବାଦୀ ସରକାର। ବିଜେପି ସରକାର ଆଦୌ ସତ୍ୟ କଥା କୁହନ୍ତି ନାହିଁ। ବିଜେପି ଯାହା କହେ, ତାକୁ କାର୍ଯ୍ୟରେ ପରିଣତ କରେ ନାହିଁ ବୋଲି କହିଛନ୍ତି ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..