ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୀର୍ଘଦିନ ପରେ ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଅବସରପ୍ରାପ୍ତ ଆଇଏଏସ ଭି.କେ ପାଣ୍ଡିଆନ୍ଙ୍କୁ ଏକାଠି ଦେଖିବାକୁ ମିଳିଛି। ୨୦୨୪ ନିର୍ବାଚନ ପରେ ନବୀନଙ୍କ ସହ ପାଣ୍ଡିଆନ୍ଙ୍କୁ ଦେଖିବାକୁ ମିଳୁ ନ ଥିଲା। ଦଳୀୟ ନେତା ନବୀନ ନିବାସରେ ପାଣ୍ଡିଆନ୍ଙ୍କୁ ଭେଟୁଥିଲେ ମଧ୍ୟ ନବୀନଙ୍କ ସହ ଗୋଟିଏ ଫ୍ରେମ୍ରେ ସେ ନଜର ଆସୁନଥିଲେ। ସାମାଜିକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ନବୀନଙ୍କୁ ଏକାକୀ ଦେଖିବାକୁ ମିଳୁଥିଲା। ଦୀର୍ଘଦିନ ପରେ ପୁଣି ସମାନ ଦୃଶ୍ୟ ସାମ୍ନାକୁ ଆସିଛି। ନବୀନଙ୍କ ସହ ପାଣ୍ଡିଆନ୍ ନଜର ଆସିଛନ୍ତି। ଏହାର ଏକ ଭିଡିଓ ପ୍ରଘଟ ହେଉଛି। ଭିଡିଓଟି ତାମିଲନାଡ଼ୁ କୋଏମ୍ବାଟୁର ବିମାନବନ୍ଦରର ବୋଲି କୁହାଯାଉଛି। ଭିଡିଓରେ ନବୀନ ଓ ପାଣ୍ଡିଆନ୍ଙ୍କ ସମେତ ଜଣେ ସୁରକ୍ଷାକର୍ମୀ ବିମାନବନ୍ଦର ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ନବୀନଙ୍କ ଏହି ଗସ୍ତ ସମ୍ପର୍କରେ ସୂଚନା ମିଳିନଥିବାବେଳେ ସେ ବ୍ୟକ୍ତିଗତ କାମରେ ଯାଇଛନ୍ତି, ଖୁବ୍ଶୀଘ୍ର ଫେରିବେ ବୋଲି ବିଜେଡି ବିଧାୟକ ମନୋହର ରନ୍ଧାରୀ ଗଣମାଧ୍ୟମରେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଓଡ଼ିଶା ବିଧାନସଭାରେ ନବୀନ ହେଉଛନ୍ତି ବିରୋଧୀ ଦଳର ନେତା। ବର୍ତ୍ତମାନ ଗୁରୁତ୍ବପୂର୍ଣ୍ଣ ବଜେଟ୍ ଅଧିବେଶନ ଜାରି ରହିଛି। ଚଳିତ ବିଧାନସଭା ଅଧିବେଶନ ବିଭିନ୍ନ ଘଟଣାବଳୀକୁ ନେଇ ସରଗରମ ହୋଇଛି। ଏପରି ସମୟରେ ନବୀନ ଗୃହରେ ଅନୁପସ୍ଥିତ ରହୁଛନ୍ତି। ତେବେ ନବୀନ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ଦଳୀୟ ସୂତ୍ରରୁ ଶୁଣିବାକୁ ମିଳୁଥିଲା। ତାମିଲନାଡ଼ୁ ଗସ୍ତ ସମ୍ପର୍କରେ କାହା ପାଖରେ ସୂଚନା ନାହିଁ। ବ୍ୟକ୍ତିଗତ କାମରେ ସେ ଯାଇଥାଇପାରନ୍ତି ବୋଲି ଦଳୀୟ ନେତା ଅନୁମାନ କରୁଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..