Report Card Odisha

| Daily Odia News

ଓଡ଼ିଶା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବିକଲେ ନବୀନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିତି ଆୟୋଗର ୮ ଜଣିଆ ଟିମ୍‌ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଟିମ୍‌ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଓଡ଼ିଶାର ବିକାଶ ଗାଡ଼ି କିଭଳି ଦ୍ରୁତ ଗତିରେ ଗଡ଼ିବ,ତାହା ଉପରେ ହୋଇଛି ଆଲୋଚନା । ଲୋକସେଭା ଭବନରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ମୋଡ୍‌ରେ ଯୋଗଦେଇ ରାଜ୍ୟର ବିକାଶର ଚିତ୍ର ଉପସ୍ଥାପନ କରିଛନ୍ତି। ତା’ସହ ରାଜ୍ୟ ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି। ଯେଉଁଥିରେ ଫୋକସ୍‌ରେ ରହିଛି ରାଜ୍ୟ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା। ନିୟମିତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ଯୋଗୁ ଓଡ଼ିଶା ନାନା ସମସ୍ୟା ଭୋଗୁଛି। ତେଣୁ ଅଗ୍ରଣୀ ରାଜ୍ୟଗୁଡ଼ିକ ସହ ପାଦ ମିଳାଇ ଚାଲିବାକୁ କେନ୍ଦ୍ର ସରକାର ଓଡ଼ିଶା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବୈଠକରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆଉ ଏଥିପାଇଁ କେନ୍ଦ୍ର କୋହଳ ମନୋଭାବ ପୋଷଣ କରିବାକୁ ସେ ଅପିଲ୍‌ ହୋଇଛି। ତା’ସହ କେନ୍ଦ୍ର ପାଖରେ ଦୀର୍ଘଦିନ ହେଲା ରାଜ୍ୟର ଅନକ ସମସ୍ୟା ପଡ଼ି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନକ୍ସଲ ଦମନ, ୭୦ ଲକ୍ଷ ସ୍ୱୟଂ ସହାୟକ ସଦସ୍ୟଙ୍କ ଆର୍ଥିକ ବିକାଶ, ବିଏସ୍‌କେଓ୍ୱାଇ ଓ ଭିତ୍ତିଭୂମିର ବିକାଶ ଲାଗି ନିଆଯାଉଥିବା ପଦକ୍ଷେପ ସଂପର୍କରେ ଦୃଷ୍ଟି ଆକର୍ଷଣ କରାଇଛନ୍ତି ନବୀନ। ଏହାସହ ବ୍ଲଡ୍‌ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ସୁବିଧା ବଢାଇବା ଏବଂ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଆବଶ୍ୟକ ସହାୟତା ପାଇଁ ରାଜ୍ୟ ସରକାର ଦାବି କରିଛନ୍ତି। ସେପଟେ ପୋଷଣ, ସ୍ୱାସ୍ଥ୍ୟ, ମୁଣ୍ଡ ପିଛା ଆୟ, ଜିଡିପି ଅଭିବୃଦ୍ଧି ଲାଗି ରାଜ୍ୟ ଏସ୍‌ଡିଜି ୟୁନିଟ୍‌ ବା ନିରନ୍ତର ବିକାଶ ଲକ୍ଷ୍ୟର ୟୁନିଟ ଜିଲ୍ଲା ଓ ବ୍ଲକ ସ୍ତରରେ ଗଠନ କରିବାକୁ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାରେ ମୁଣ୍ଡ ପିଛା ଆୟ ବୃଦ୍ଧି, କୃଷି ଓ ଖଣିଜ ଉତ୍ପାଦନ କ୍ଷେତ୍ରରେ ଉନ୍ନତି ଏବଂ ବିତ୍ତୀୟ ନିଅଣ୍ଟକୁ ୫ ପ୍ରତିଶତ ତଳେ ରଖିବାରେ ସମର୍ଥ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିସହିତ ଖଣିିଜ ଉତ୍ପାଦନ ବଢାଇବା ଓ ରାସାୟନିକ ମୁକ୍ତ ଚାଷ ଲାଗି ପରାମର୍ଶ ଦେଇଛନ୍ତି। ପ୍ରତି ରାଜ୍ୟର ନିଜସ୍ୱ ବୈଶିଷ୍ଟତା ଥାଏ, କେଉଁ କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ। ତାକୁ ଆଧାର କରି ବିକାଶ ବ୍ଳୁପ୍ରିଣ୍ଟ ପ୍ରସ୍ତୁତିରେ ସହଯୋଗ ଲାଗି ନିତି ଆୟୋଗ ଆଗ୍ରହୀ ବୋଲି କହିଛନ୍ତି।

Breaking News