Report Card Odisha

| Daily Odia News

ପତାକା ଉତ୍ତୋଳନ କରି ପାଞ୍ଚଟି ସଙ୍କଳ୍ପ ନେଲେ ପ୍ରଧାନମନ୍ତ୍ରୀ ମୋଦି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଦେଶ ପାଳନ କରୁଛି ୭୬ ତମ ସ୍ୱାଧୀନତା ଦିବସ। ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଇଂରେଜଙ୍କ ଶାସନ ଅଧୀନରେ ପ୍ରାୟ ୨୦୦ ବର୍ଷ ରହିବା ପରେ ୧୯୪୭ ମସିହା ଆଜିର ଦିନରେ ଦେଶ ସ୍ୱାଧୀନ ହୋଇଥିଲା। ଦେଶକୁ ସ୍ୱାଧୀନ କରିବାକୁ ଅନେକ ସଂଘର୍ଷ ହୋଇଛି, ଅନେକ ସଂଗ୍ରାମ ହୋଇଛି, ଆଉ ଅନେକ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଛନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ସାହସିକତା ପାଇଁ ଇଂରେଜମାନେ ଦେଶ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଥିଲେ। ସାରା ବିଶ୍ୱର କୋଣ ଅନୁକୋଣରେ ତ୍ରିରଙ୍ଗା ଫରଫର ଉଡୁଛି। ଆଜିର ଦିନ ଦେଶବାସୀଙ୍କ ପାଇଁ ଐତିହାସିକ ଓ ସଂକଳ୍ପର ଦିନ ବୋଲି ମୋଦି କହିଛନ୍ତି।ମହାପୁରୁଷଙ୍କ ବଳିଦାନକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ। ବାପୁଜୀ, ନେତାଜୀ ଓ ସବରକରଙ୍କ ପରି ମହାପୁରୁଷଙ୍କ ନାଁ ନେଲେ। ସହିଦ ଭଗତ ସିଂହ, ରାଜଗୁରୁଙ୍କ ବଳିଦାନକୁ ସ୍ମରଣ କଲେ ମୋଦି। ତାନ୍ତିଆ ଟୋପେ, ଜୟୀ ରାଜଗୁରୁ, ମଙ୍ଗଲ ପାଣ୍ଡେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ। ସ୍ୱାଧୀନତା ପରେ ଦେଶ ନିର୍ମାଣକାରୀଙ୍କୁ ମନେ ପକାଇଲେ। ଦେଶବାସୀଙ୍କ ସାମ୍ନାରେ ନେଇଛନ୍ତି ୫ଟି ସଙ୍କଳ୍ପ। ଆଗାମୀ ୨୫ ବର୍ଷ ପାଇଁ ଦେଇଛନ୍ତି ବ୍ଲୁପ୍ରିଣ୍ଟ।

ପ୍ରଥମ ସଙ୍କଳ୍ପ- ବିକଶିତ ଭାରତ

ଦ୍ୱିତୀୟ ସଙ୍କଳ୍ପ- କୌଣସି ବି କୋଣ ଅନୁକୋଣରେ ଗୋଲାମୀର ଅଂଶ ରହିବ ନାହିଁ।

ତୃତୀୟ ସଙ୍କଳ୍ପ- ଆମର ଐତିହ୍ୟ ପାଇଁ ଆମେ ଗର୍ବିତ ହେବା ଉଚିତ୍। ଏହା ହେଉଛି ସେହି ଉତ୍ତରାଧିକାରୀ, ଯିଏ ଏକଦା ଭାରତକୁ ସ୍ୱର୍ଣ୍ଣିମ ଯୁଗ ଦେଇଥିଲା।
ଚତୁର୍ଥ ସଙ୍କଳ୍ପ- ଦେଶରେ ଏକତା ଓ ଏକଜୁଟ ବଜାୟ ରଖିବା। ଦେଶର ୧୩୦ କୋଟି ଦେଶବାସୀଙ୍କ ମଧ୍ୟରେ ଏକତା ରହୁ।

ପଞ୍ଚମ ସଙ୍କଳ୍ପ- ପଞ୍ଚମ ସଙ୍କଳ୍ପ ହେଉଛି ନାଗରିକମାନଙ୍କର କର୍ତ୍ତବ୍ୟ। ଏଥିରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ବାଦ୍‌ ପଡିବେ ନାହିଁ।

ଆସନ୍ତା ୨୫ ବର୍ଷ ପାଇଁ ୫ଟି ସଂକଳ୍ପ ଆଧାରରେ ଆମକୁ ଧ୍ୟାନ ଦେବାକୁ ପଡିବ। ଆଗାମୀ ୨୫ ବର୍ଷ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯୁବପିଢ଼ିଙ୍କୁ ସଂକଳ୍ପ ନେଇ କାମ କରିବା ଉଚିତ। ପଞ୍ଚ ପ୍ରଣ ବା ସଙ୍କଳ୍ପକୁ ନେଇ ଆମେ ସ୍ୱାଧୀନତାର ଶହେ ବର୍ଷ ପାଳିବୁ ବୋଲି ମୋଦି ଲାଲକିଲ୍ଲାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଦେଶ ପାଇଁ ଶପଥ ନେଇଛନ୍ତି। ଏଥିସହ ମୋଦି ସ୍ୱଚ୍ଛତା, ବିଜୁଳି ସଂଯୋଗ, ପାନୀୟ ଜଳ ଯୋଗାଣ କଥା ମଧ୍ୟ କହିଛନ୍ତି। ଆମେ ଆଉ ଦୁନିଆର ପ୍ରମାଣପତ୍ର ଉପରେ ବଞ୍ଚିବାକୁ ଚାହୁଁନୁ। ସାମର୍ଥ୍ୟର ସହ କାର୍ଯ୍ୟ କରି ଗୋଲାମୀ ଠାରୁ ଦୂରେଇ ଯାଇଛୁ। ଡିଜିଟାଲ ଇଣ୍ଡିଆ, ଷ୍ଟାଟ ଆପ୍‌ର ସୁଫଳ ଦେଶବାସୀଙ୍କୁ ମିଳିଛି। ଭାରତର ପବିତ୍ର ଜୀବନ ଶୈଳୀକୁ ସାରା ବିଶ୍ୱ ଗ୍ରହଣ କରିଛି। ସଂଯୁକ୍ତ ପରିବାରର ମହନୀୟତା ହେଉଛି ଆମର ସାମର୍ଥ୍ୟ ବୋଲି ମୋଦି କହିଛନ୍ତି।

 

Breaking News