Report Card Odisha

| Daily Odia News

ଯୁବବର୍ଗଙ୍କ ଉପରେ ଅତୁଟ ବିଶ୍ୱାସ ରଖି ଆଗକୁ ବଢ଼ୁଛି ପ୍ରଧାନମନ୍ତ୍ରୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର

ଏକବିଂଶ ଶତାବ୍ଦୀର ଭାରତ ଯୁବବର୍ଗଙ୍କ ଉପରେ ଅତୁଟ ବିଶ୍ୱାସ ରଖି ଆଗକୁ ବଢ଼ୁଛି । ଫଳସ୍ୱରୂପ ଇନୋଭେସନ ଇନଡେକ୍ସରେ ଭାରତର ରୢାଙ୍କ୍ ବୃଦ୍ଧି ପାଇଛି । ବିଗତ ୮ ବର୍ଷରେ ପେଟେଣ୍ଟ ସଂଖ୍ୟା ୭ ଗୁଣା ବୃଦ୍ଧି ପାଇଛି । ୟୁନିକର୍ଣ୍ଣର ଗଣନା ମଧ୍ୟ ୧୦୦ ଅତିକ୍ରମ କରିଛି ବୋଲି ଗୁରୁବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥାନ – ୨୦୨୨ର ଗ୍ରାଣ୍ଡ୍ ଫାଇନାଲକୁ ସମ୍ବୋଧିତ କରି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କେରଳ, ତାମିଲନାଡ଼ୁ, ଗୁଜୁରାଟ, ଉତ୍ତରପ୍ରଦେଶ ଓ ଅନ୍ୟ ରାଜ୍ୟର ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ପରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୭ ରୁ ୮ ବର୍ଷ ମଧ୍ୟରେ ଅନେକ ବିପ୍ଳବ ବଳରେ ଦେଶ ଅଗ୍ରସର ହେଉଛି । ଭାରତରେ ଆଜି ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଡିଜିଟାଲ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିଭାର ବିପ୍ଳବ ଜାରି ରହିଛି । ଦେଶରେ ନବସୃଜନ ପରମ୍ପରାକୁ ଆଗକୁ ବଢ଼ାଇବା ପାଇଁ ସାମାଜିକ ଓ ଆନୁଷ୍ଠାନିକ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ଅବସରରେ କହିଛନ୍ତି ଯେ ଦେଶ ଯେତେବେଳେ ସ୍ୱାଧୀନତାର ୭୫ ବର୍ଷ ପୂରଣ କରି ଅମୃତ କାଳରେ ପ୍ରବେଶ କରୁଅଛି, ସେହି ସମୟରେ ସ୍ମାର୍ଟ ଇଣ୍ଡିଆ ହାକାଥନ ହେଉଛି ଅଭିନବ ଉପାୟରେ ଏକ ପ୍ରତିଯୋଗିତାମୂଳକ ହାକାଥନ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ ନବସୃଜନ ଦିଗରେ ନୂଆପିଢିଙ୍କ ଆତ୍ମବିଶ୍ୱାସକୁ ବଢାଇବ । ପ୍ରଧାନମନ୍ତ୍ରୀ ଦେଶକୁ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତି କରିବା ପାଇଁ ଆହ୍ୱାନ କରିଛନ୍ତି । ଏହା ତେବେ ସମ୍ଭବ ହେବ ଯେବେ ଦେଶର ନୂଆପିଢି ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରିବ । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ କର୍ତ୍ତବ୍ୟବୋଧର ଆହ୍ୱାନ ଦେଇଥିବା ବେଳେ ଆଜିର ଯୁବପିଢ଼ି ଦେଶକୁ ଆତ୍ମନିର୍ଭର କରିବା କର୍ତ୍ତବ୍ୟର ଦାୟିତ୍ୱ ନେଇଛନ୍ତି।

 

Breaking News