Report Card Odisha

| Daily Odia News

ନେହେରୁଙ୍କ ପତ୍ନୀ ବୁଧନୀଙ୍କ ପରଲୋକ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଆଦିବାସୀ ପତ୍ନୀ କୁହାଯାଉଥିବା ବୁଧନୀ ମାନ୍‌ଝିୟାଁଙ୍କ ପରଲୋକ ହୋଇଛି। ତାଙ୍କୁ ୮୦ବର୍ଷ ହୋଇଥିଲା। ବୁଧନୀ ଜଣେ ସାନ୍ତାଳୀ ଆଦିବାସୀ। ଧାନବାଦର ପାନଚେଟ୍‌ରେ ଏକ କୁଡିଆ ଘରେ ସେ ତାଙ୍କ ଝିଅ ସହ ରହିଆସୁଥିଲେ। ନଭେମ୍ବର ୧୭ରେ ତାଙ୍କର ପରଲୋକ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳର ଶହଶହ ରାଜନେତା, ଅଧିକାରୀ ଓ ଜନତା ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏପରିକି ବୁଧନୀଙ୍କ ନିମନ୍ତେ ଏକ ସ୍ମାରକୀ ତିଆରି କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ସୂଚନାଯୋଗ୍ୟ ୧୯୫୯ରେ ନେହେରୁ ପାନଚେଟ୍‌ ଡ୍ୟାମ୍‌ ଉଦ୍‌ଘାଟନ କରିବା ବେଳେ ବୁଧନୀଙ୍କ ବେକରେ ଏକ ଫୁଲମାଳ ପକାଇ ଦେଇଥିଲେ। ବୁଧନୀଙ୍କୁ ସେତେବେଳେ ୧୬ବର୍ଷ ହୋଇଥିଲା । ସେ ଉକ୍ତ ଡ୍ୟାମ କାମରେ ଏକ ଶ୍ରମିକ ଭାବେ ନିୟୋଜିତ ଥିଲେ। ନେ​‌େ​‌ହରୁ ଡ୍ୟାମ ଉଦ୍‌ଘାଟନ ପାଇଁ ଆସୁଥିବାବେଳେ ତାଙ୍କୁ ସ୍ବାଗତ କରିବା ଲାଗି ପରିଚାଳନା କର୍ତ୍ତୃପକ୍ଷ ବୁଧନୀଙ୍କୁ ନିଯୁକ୍ତ କରିଥିଲେ। ନେହେରୁ ଖୁସିରେ ବୁଧନୀଙ୍କ ବେକରେ ଫୁଲମାଳ ପକାଇବା ପରେ ଆଦିବାସୀ ସମ୍ପ୍ରଦାୟ ତାଙ୍କୁ ନେହେରୁଙ୍କ ପତ୍ନୀ ବୋଲି ବିବେଚନା କରିବା ସହିତ ସାମାଜିକ ବାସନ୍ଦ କରିଥିଲେ। ଏପରିକି ତାଙ୍କୁ ଜାତିରୁ ବାହାର କରିବା ସହିତ ଗାଁରୁ ବିଦା କରିଦେଇଥିଲେ। ସେବେଠାରୁ ସେ ଗାଁ ବାହାରେ ଏକ ବାସନ୍ଦ ଜୀବନ ବିତାଇ ଆସୁଥିଲେ। ପରବର୍ତ୍ତୀ ସମୟରେ ବୁଧନୀ ଜଣେ ଶ୍ରମିକଙ୍କୁ ବିବାହ କରିଥିଲେ। ୧୯୮୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆସନସୋଲ ଗସ୍ତ କରିବାବେଳେ ଜଣେ ସ୍ଥାନୀୟ କଂଗ୍ରେସ ନେତା ବୁଧନୀଙ୍କ ସମ୍ପର୍କରେ ତାଙ୍କୁ କହିଥିଲେ। ବୁଧନି ସେତେବେଳେ ରାଜୀବ ଗାନ୍ଧୀଙ୍କୁ ଭେଟିଥିଲେ। ପରେ ବୁଧନୀଙ୍କୁ ଦାମୋଦର ଭ୍ୟାଲି କର୍ପୋରେସନ (ଡିଭିସି)ରେ ଏକ ଚାକିରି ମିଳିଥିଲା। ୨୦୦୫ରେ ସେ ଚାକିରିରୁ ଅବସର ନେଇଥିଲେ।

 

Breaking News