ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳରେ ଭୂସ୍ଖଳନ ଯୋଗୁଁ ଦୁଇଟି ବସ୍ ଭରା ନଈରେ ଭାସିଯିବାରୁ ୭ ଜଣ ଭାରତୀୟ ନାଗରିକଙ୍କ ସମେତ ୬୫ ଜଣ ନିଖୋଜ ହୋଇଯାଇଛନ୍ତି। ଚିତ୍ୱାନ ଜିଲ୍ଲାର ନାରାୟଣଘାଟ-ମୁଗଲିଂ ରାସ୍ତାର ସିମଲତାଲ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ୬୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ବସ୍ ତ୍ରିଶୁଳି ନଦୀରେ ନିଖୋଜ ହୋଇଯାଇଛି। ଚିତ୍ୱାନର ମୁଖ୍ୟ ଜିଲ୍ଲା ଅଧିକାରୀ ଇନ୍ଦ୍ରଦେବ ଯାଦବଙ୍କ କହିବା ଅନୁଯାୟୀ, ରାଜଧାନୀରୁ ଗୌର ଅଭିମୁଖେ ଯାଉଥିବା ଗଣପତି ଡିଲକ୍ସ ଏବଂ କାଠମାଣ୍ଡୁ ଅଭିମୁଖେ ଯାଉଥିବା ଏଞ୍ଜେଲ ବସ୍ ଭୋର ପ୍ରାୟ ସାଢ଼େ ୩ଟା ବେଳେ ଭାସିଯାଇଥିଲେ। କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିବା ବସ୍ରେ ୨୪ ଜଣ ଏବଂ ଗୌର ଅଭିମୁଖେ ଯାଉଥିବା ବସ୍ରେ ୪୧ ଜଣ ଯାତ୍ରୀ ଥିଲେ। କାଠମାଣ୍ଡୁ ପୋଷ୍ଟ୍ ରିପୋର୍ଟ ଅନୁଯାୟୀ ଗଣପତି ଡିଲକ୍ସ ବସ୍ରେ ଥିବା ୩ ଜଣ ଯାତ୍ରୀ ଗାଡିରୁ ଡେଇଁ ଖସି ଯିବାରେ ସଫଳ ହୋଇଥିଲେ। ଏଞ୍ଜେଲ ଡିଲକ୍ସରେ ବୀରଗଞ୍ଜରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିବା ୨୧ ଜଣ ଯାତ୍ରୀଙ୍କ ବିବରଣୀ ମିଳିଛି। ସଦ୍ୟତମ ସୂଚନା ଅନୁଯାୟୀ, ବସ୍ରେ ଯାତ୍ରୀମାନଙ୍କ ମଧ୍ୟରେ ୭ ଜଣ ଭାରତୀୟ ନାଗରିକ ଥିଲେ। ତ୍ରିଶୁଳି ନଦୀରେ ବସ୍ ନିଖୋଜ ହେବା ଘଟଣାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ନିଖୋଜଙ୍କ ପତ୍ତା ମିଳୁନାହିଁ। ଅନ୍ୟପକ୍ଷରେ ଗୁରୁବାର କାସ୍କି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନ ଓ ବନ୍ୟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।
More Stories
ଗଣମାଧ୍ୟମ ଚ୍ୟାନେଲ କୁ ସରକାରଙ୍କର ୯ ନିର୍ଦ୍ଦେଶ…..
ଆକ୍ରମଣର ତଦନ୍ତ ପାଇଁ ଆମେ ରାଜି:ପାକିସ୍ତାନ…..
ଇରାନରେ ବଡ଼ ଧରଣର ବିସ୍ଫୋରଣ,୪୦୦ରୁ ଊର୍ଦ୍ଧ୍ବ ଆହତ…..