Report Card Odisha

| Daily Odia News

୭ ଦିନ ଭିତରେ ନୂଆ ସିଡିଏସ୍ ନିଯୁକ୍ତି, ରେସ୍‌ରେ ଦୁଇ ସେନାର ଅଧିକାରୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ପ୍ରଥମ ସିଡିଏସ ବିପିନ ରାଓ୍ୱତଙ୍କର ବୁଧବାର ହେଲିକପ୍ଟର ଦୁର୍ଘଟଣାରେ ପରଲୋକ ଘଟିଛି | ତାଙ୍କ ପରେ କିଏ ସିଡିଏସ ହେବ ସେନେଇ ଚର୍ଚ୍ଚା ସାଙ୍ଗକୁ ରେସ ଆରମ୍ଭ ହୋଇଯାଇଛି | ଏହି ପଦବୀରେ କେହି ପୂର୍ବତନ ସୈନ୍ୟ ଅଧିକାରୀ ବସିବେ ନା ବର୍ତ୍ତମାନ ଦାୟିତ୍ୱରେ ଥିବା ଜଣଙ୍କୁ ବସାଯିବ ସେନେଇ କେନ୍ଦ୍ର ସରକାର ତର୍ଜମା କରୁଥିବା ସୂଚନା ମିଳିଛି । ବିପିନ ରାଓ୍ୱତଙ୍କ ପରେ ଚୀନ ଓ ପାକିସ୍ତାନ କାରଣରୁ ସୀମାରେ ଯେଉଁ ସବୁ ଚ୍ୟାଲେଞ୍ଜ ରହିଛି ସେହି କାରଣରୁ ସିଡିଏସ ପଦବୀକୁ ଦୀର୍ଘ ଦିନ ଧରି ଖାଲି ରଖାଯାଇ ପାରିବ ନାହିଁ । ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ସରକାର ନୂଆ ସିଡିଏସ ଘୋଷଣା କରିବା ସହ ନୂଆ ଯୋଜନା ବି ପ୍ରସ୍ତୁତ କରିବାକୁ ହେବ । ନୂଆ ସିଡିଏସଙ୍କ ନାଁ ପ୍ରତିରକ୍ଷା ମନ୍ତ୍ରାଳୟ ସହ ଜଡିତ ଏକ କମିଟି ସ୍ଥିର କରିବ । ଯାହାର ଅଧ୍ୟକ୍ଷତା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କମିଟି ୮ରୁ ୧୦ ଦିନ ମଧ୍ୟରେ ନୂଆ ସିଡିଏସଙ୍କ ନାଁ ଘୋଷଣା କରିପାରେ । ସମସ୍ତ ନିୟମ ଓ ମାପଦଣ୍ଡ ଅନୁସାରେ ନୂଆ ନାଁ ସ୍ଥିର ହେବ ।

ନିୟମ ଅନୁସାରେ, କୌଣସି ବି କମାଣ୍ଡିଂ ବା ଫ୍ଲାଇଂ ଅଫିସର ଏହି ପଦ ପାଇଁ ଯୋଗ୍ୟ ହୋଇପାରିବେ ।ଏହି ପଦବୀରେ ଥିବା ବ୍ୟକ୍ତି ୬୫ ବର୍ଷ ଯାଏଁ ଦାୟିତ୍ୱ ତୁଲାଇବେ । ସିଡିଏସ ଭାବେ ନିଯୁକ୍ତି ପାଇଁ ଦୁଇ ସେନାର ଅଧିକାରୀଙ୍କ ନାମ ଏବେ ରେସ୍‌ର ଆଗରେ ରହଛି । ସ୍ଥଳ ସେନା ମୁଖ୍ୟ ଜେନେରାଲ୍‌ ମନୋଜ ମୁକୁନ୍ଦ ନରୱାଣେ ସିଡିଏସ୍‌ ରେସ୍‌ର ଆଗରେ ରହିଛନ୍ତି । ସେ ନୌସେନା ଏବଂ ବାୟୁସେନାର ସମକକ୍ଷ ଅଧିକାରୀଙ୍କ ଠାରୁ ବରିଷ୍ଠ ରହିଛନ୍ତି । ସିଡିଏସ୍‌ ପଦ ପାଇଁ ବାୟୁସେନା ମୁଖ୍ୟ ଏଚାର ଚିଫ୍ ମାର୍ଶାଲ ବିବେକ ରାମ ଚୌଧରୀ ଙ୍କ ନାମ ରେସ୍‌ରେ ରହି ଥିବା ସୂଚନା ମିଳିଛି |  ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଉଭୟ ନରଓ୍ୱଣେଙ୍କଠୁ କନିଷ୍ଠ ଅଟନ୍ତି ।  ତେଣୁ ନରଓ୍ୱଣେଙ୍କୁ ସିଡିଏସ ଭାବେ ନିଯୁକ୍ତ କରାଯିବା ନେଇ ଅଧିକ ସମ୍ଭାବନା ରହିଛି । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ କିଏ ନିଯୁକ୍ତି ହେଉଛନ୍ତି ତାହା ଦେଖିବାକୁ ରହିଲା |

 

Breaking News