ରିପୋର୍ଟ କାର୍ଡ / ପୁରୀ
ପିପିଲିରୁ କୋଣାର୍କକୁ ଫିଟିବ ନୂଆ ହାଇସ୍ପିଡ୍ କରିଡ଼ର । ୪୦ କିମି ବିଶିଷ୍ଟ ଗ୍ରୀନ୍ ଫିଲ୍ଡ କରିଡ଼ରର ଚଉଡ଼ା ରହିବ ୨୦୦ ଫୁଟ । କରିଡ଼ରରେ ଘଣ୍ଟାକୁ ୧୦୦ କିମି ବେଗରେ ଗାଡ଼ି ଦୌଡ଼ିବ । ପିପିଲି-କୋଣାର୍କ ଯାତ୍ରା ଅବଧି ଦେଢ଼ ଘଣ୍ଟାରୁ ଖସି ଆସିବ ମାତ୍ର ଅଧ ଘଣ୍ଟାକୁ । ଏକ୍ସପ୍ରେସ୍ୱେ ଢାଞ୍ଚାରେ ଏମିତି କରିଡ଼ର ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି ।ଏହି ପ୍ରସ୍ତାବିତ କରିଡ଼ର ପାଇଁ ନକ୍ସା ପ୍ରସ୍ତୁତ ସହ ଜମି ଅଧିଗ୍ରହଣ ଓ ଅନ୍ୟ ଦିଗ ଉପରେ କାମ ଆରମ୍ଭ ହୋଇଛି । ଶୁକ୍ରବାର ଏହା ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ବିଭିନ୍ନ ଦିଗ ଉପରେ ତର୍ଜମା ହେଲା । ନୂଆ କରିଡ଼ର ନିର୍ମାଣ ସହ ପୁରୁଣା ରାସ୍ତାକୁ ପ୍ରଶସ୍ତିକରଣ କରାଯିବ । ପୁରୁଣା ପିପିଲି-କୋଣାର୍କ ରାସ୍ତାକୁ ୭ ମିଟରରୁ ୧୦ ମିଟର ଅଧିକ ଚଉଡ଼ା କରାଯିବ । ନିମାପଡ଼ା ନିର୍ବାଚନ ମଣ୍ଡଳୀର ଚାରିଛକ ଠାରୁ ଅସ୍ତରଙ୍ଗ ଓ ଜଲାରପୁରଠାରୁ ଚାରି ଛକ ଯାଏ ରାସ୍ତାକୁ ୪ଲେନ୍ ବିଶିଷ୍ଟ କରାଯିବ । ଏହି ରାସ୍ତା ନିର୍ମାଣ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ପୁରୀ ସହର ଭିତରେ ଥିବା ବିଭିନ୍ନ ରାସ୍ତା ପ୍ରଶସ୍ତିକରଣ ଉପରେ ଚର୍ଚ୍ଚା ହୋଇଛି । ପୁରୀ ସହର ତାଜ୍ ଇଣ୍ଟରନ୍ୟାସନାଲ ଠାରୁ ସିଟି ରୋଡ୍ ଦେଇ ଜଗନ୍ନାଥ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ୪ ଲେନ୍ କରାଯିବ । ଶ୍ରୀ ଚୈତନ୍ୟ ରୋଡ୍ଠାରୁ ବାଲି ସାହି ଦେଇ ଶ୍ରୀଜଗନ୍ନାଥ ମନ୍ଦିର ରାସ୍ତା, ଦୋଳମଣ୍ଡପ ସାହି ରାସ୍ତା ଓ ଝାଡ଼େଶ୍ୱରୀ କ୍ଲବ୍ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରାସ୍ତାକୁ ଚଉଡ଼ା ପାଇଁ ସର୍ଭେ କରିବାକୁ ଆଲୋଚନା ହୋଇଛି ।ରାଜ୍ୟ ସରକାର ଏବେ ରାଜ୍ୟର ରୋଡ୍ ନେଟୱାର୍କର ସୁଦୃଢ଼ୀକରଣକୁ ଗୁରୁତ୍ୱ ଦେଉଛନ୍ତି । ଭୁବନେଶ୍ୱର- ପୁରୀ-କୋଣାର୍କକୁ ନେଇ ଏକ ସ୍ୱତନ୍ତ୍ର କରିଡ଼ର କରିବାକୁ ଯୋଜନା ହୋଇଛି । ଏହି ପ୍ରକଳ୍ପକୁ ତ୍ୱରିତ୍ ବେଗରେ ଆଗେଇ ନେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
More Stories
କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି…..
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..