Report Card Odisha

| Daily Odia News

ଦେଶରେ ଲାଗୁ ହେଲା ନୂଆ ଭାରତୀୟ ନ୍ୟାୟ ସଂହିତା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠୁ ସାରା ଦେଶରେ ଲାଗୁ ହୋଇଛି ନୂଆ ଭାରତୀୟ ନ୍ୟାୟ ସଂହିତା। ଏଥିସହିତ ଉଚ୍ଛେଦ ହୋଇଛି ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ ନିୟମ। ଏହି ନୂଆ ଆଇନ କାର୍ଯ୍ୟକାରୀ ହେବା ଦ୍ବାରା ଦେଶରେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିବ। ନୂଆ ନିୟମ ଅନୁସାରେ ଦେଶରୁ ହଟିବ ‘କ୍ରିମିନାଲ୍ ପ୍ରୋସିଜିଓର କୋଡ୍’-CrPC, ଇଣ୍ଡିଆନ୍ ପେନାଲ୍ କୋଡ୍- IPC ଏବଂ ଏଭିଡ଼େନ୍ସ ଆକ୍ଟ। ଇଣ୍ଡିଆନ୍ ପେନାଲ୍ କୋଡ୍ ’ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’,। ‘କ୍ରିମିନାଲ୍ ପ୍ରୋସିଜିଓର କୋଡ୍’ ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍ ଏଭିଡେନ୍ସ୍ ଆକ୍ଟ’ ପରିବର୍ତ୍ତେ ଆସିବ ‘ଭାରତୀୟ ସାକ୍ଷ୍ୟ ଅଧିନିୟମ’।ନୂଆ ଆଇନର ବ୍ୟବସ୍ଥା ଅନୁଯାୟୀ ଜଣଙ୍କୁ ଥାନାକୁ ଯାଇ ଏଫଆଇଆର ଦାୟର କରିବାକୁ ପଡିବ ନାହିଁ। ଅନଲାଇନ ମାଧ୍ୟମରେ ଜଣେ ଯେକୌଣସି ସ୍ଥାନରୁ ପୋଲିସ ନିକଟରେ ଅଭିଯୋଗ ଦାୟର କରିପାରିବ। ଥାନା ପରିସୀମା ବାହାରେ ଜଣେ ଲୋକ ଯେକୌଣସି ଥାନାରେ ନିଜର ଏଫ୍ଆଇଆର ଦାୟର କରିପାରିବ। ସେହିପରି ଇଲେକଟ୍ରୋନିକ୍ ମାଧ୍ୟମ ଯଥା ଏସଏମଏସ୍ ମାଧ୍ୟମରେ ଅଭିଯୁକ୍ତକୁ ସମନ ଜାରି କରାଯିବ। ସମସ୍ତ ଜଘନ୍ୟ ଅପରାଧର ଭିଡିଓଗ୍ରାଫ୍ କରାଯିବା ବାଧ୍ୟତାମୂଳକ। ନୂଆ ଆଇନର ବ୍ୟବସ୍ଥା ଅନୁଯାୟୀ ଶୁଣାଣି ଶେଷର ୪୫ଦିନ ମଧ୍ୟରେ ରାୟ ପ୍ରକାଶ ପାଇବ। ସେହିପରି ପ୍ରଥମ ଶୁଣାଣିର ୬୦ଦିନ ମଧ୍ୟରେ ଚାର୍ଜଫ୍ରେମ୍ କରାଯିବ। ବଳାତ୍କାର ପୀଡିତାଙ୍କ ବୟାନ ମହିଳା ପୋଲିସ ଅଧିକାରୀଙ୍କ ଦ୍ବାରା ରେକର୍ଡ କରାଯିବ। ବୟାନ ରେକର୍ଡ ସମୟରେ ପୀଡିତାଙ୍କର ଅଭିଭାବକ କିମ୍ବା ସମ୍ପର୍କୀୟ ଉପସ୍ଥିତ ରହିବେ। ବଳାତ୍କାର ମାମଲାର ଡାକ୍ତରୀ ମାଇନା ରିପୋର୍ଟ ୭ଦିନ ମଧ୍ୟରେ ଦିଆଯିବ। ସଂଗଠିତ ଅପରାଧ ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ବ୍ୟାପକ କରାଯାଇଛି। ଦେଶଦ୍ରୋହ ଅପରାଧ ସ୍ଥାନରେ ଦେଶପ୍ରତି ବିଶ୍ବାସଘାତକତାର ନୂଆ ଆଇନ ଅଣାଯାଇଛି। କୌଣସି ଅପରାଧର ତଦନ୍ତ କ୍ରମରେ ହେଉଥିବା ଯାଞ୍ଚ ଓ ଜବତ କ୍ଷେତ୍ରରେ ଭିଡିଓ ରେକର୍ଡିଂ ବାଧ୍ୟତାମୂଳକ କରାଯାଇଛି। ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ପାଇଁ ନୂଆ ଆଇନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶିଶୁ ବିକ୍ରି ଓ କ୍ରୟ କ୍ଷେତ୍ରରେ କଠୋର ଦଣ୍ଡ ବିଧାନ ହୋଇଛି। ସେହିପରି ନାବାଳିକାକୁ ଗଣବଳାତ୍କାର କ୍ଷେତ୍ରରେ ମୃତ୍ୟୁ କିମ୍ବା ଆଜୀବନ କାରାଦଣ୍ଡ ଭୋଗିବାକୁ ପଡିବ। ପୂର୍ବରୁ ଆଇପିସିରେ ୫୧୧ଟି ଦଫା ରହିଥିବାବେଳେ ଭାରତୀୟ ନ୍ୟାୟ ସଂହିତାରେ ୩୫୮ଟି ଧାରା ରହିଛି।

Breaking News