Report Card Odisha

| Daily Odia News

ଆସନ୍ତାକାଲି ଶପଥନେବେ ନୂଆ ମନ୍ତ୍ରୀ…..

ରିପୋର୍ଟ କାର୍ଡ /ଭୁବନେଶ୍ୱର

ଆସନ୍ତାକାଲି ଅନୁଷ୍ଠିତ ହେବ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ। ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀମାନେ ନେବେ ଶପଥ। ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି। ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବର ସମୟ ସମ୍ପର୍କରେ ଘୋଷଣା ହୋଇଥିଲେ ବି କେଉଁମାନେ ମନ୍ତ୍ରୀ ହେବେ, ସେ ନେଇ ଲାଗି ରହିଥିବା ସସପେନ୍ସ ଉପରକୁ ପରଦା ଉଠିନାହିଁ। ସମ୍ଭାବ୍ୟ ସମ୍ପ୍ରସାରଣରେ ୪ଜଣ ନୂଆ ମନ୍ତ୍ରୀ ସ୍ଥାନ ପାଇବେ ବୋଲି କୁହାଯାଉଛି। ନବ ଦାସଙ୍କ ହତ୍ୟା ଯୋଗୁ ଗୋଟିଏ ମନ୍ତ୍ରୀପଦ ଖାଲି ପଡ଼ିଥିବାବେଳେ ଅନ୍ୟ ୨ଜଣ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଯୋଗୁ ମୋଟ ୩ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । ଅନ୍ୟ ଜଣେ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇପାରେ ବୋଲି ଜଣାପଡ଼ିଛି | ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନବୀନ ନିଜର ମନ୍ତ୍ରିମଣ୍ଡଳରୁ ଜଣେ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିପାରନ୍ତି । ଆଉ ମନ୍ତ୍ରିମଣ୍ଡଳରେ ମୋଟ ୪ଜଣଙ୍କୁ ସାମିଲ କରିପାରନ୍ତି । ଗଞ୍ଜାମ ଜିଲ୍ଲାର ରାଜନୀତିକ ସମୀକରଣକୁ ଦୃଷ୍ଟିରେ ରଖି ଶ୍ରୀକାନ୍ତ ସାହୁଙ୍କ ସ୍ଥାନରେ ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯିବାର ଯଥେଷ୍ଟ ସମ୍ଭାବନା ଥିବାବେଳେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ରାଉରକେଲା ବିଧାୟକ ସାରଦା ନାୟକ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବାର ସମ୍ଭାବନା ରହିଛି । ସେହିପରି ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ତଥା ଝାରସୁଗୁଡ଼ା ନବନିର୍ବାଚିତ ବିଧାୟିକା ଦୀପାଳି ଦାସଙ୍କ ନାଁ ବି ମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ରହିଛି । ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ଯୋଗୁ ଖାଲି ପଡ଼ିଥିବା ବାଚସ୍ପତି ପଦରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ,ଅମରପ୍ରସାଦ ଶତପଥୀ, ଦେବୀପ୍ରସାଦ ମିଶ୍ରଙ୍କ ନାଁ ଚର୍ଚ୍ଚାରେ ରହିଥିବାବେଳେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପ୍ରଦୀପ ଅମାତଙ୍କ ମଧ୍ୟରୁ କାହାରିକୁ ବି ଶେଷ ମୁହୂର୍ତ୍ତରେ ବାଚସ୍ପତି ପଦରେ ନିଯୁକ୍ତି ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Breaking News