ରିପୋର୍ଟ କାର୍ଡ / କଟକ
ପଞ୍ଚାୟତ ନିର୍ବାଚନରେ ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ମତଦାନ କେନ୍ଦ୍ରରେ ଆବଶ୍ୟକ ବ୍ୟବସ୍ଥା ନଥିବା ଅଭିଯୋଗ ସମ୍ପର୍କିତ ମାମଲାରେ ଉଚ୍ଚ ନ୍ୟାୟାଳୟ ଜବାବ ତଲବ କରିଛନ୍ତି। ମୁଖ୍ୟ ବିଚାରପତି ଏସ୍.ମୁରଲୀଧର ଓ ବିଚାରପତି ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ରାଜ୍ୟ ନିର୍ବାଚନ କମିସନଙ୍କୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି। ପଞ୍ଚାୟତ ନିର୍ବାଚନରେ ଦିବ୍ୟାଙ୍ଗଙ୍କ ପାଇଁ କରାଯାଇଥିବା ସ୍ବତନ୍ତ୍ର ବ୍ୟବସ୍ଥାକୁ ନିର୍ବାଚନ କମିସନଙ୍କ ଅଧିକାରୀ ଅନୁଧ୍ୟାନ କରି ପରବର୍ତ୍ତୀ ଶୁଣାଣି ସମୟରେ ଏ ସମ୍ପର୍କିତ ତଥ୍ୟ ଦାଖଲ କରିବେ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ମଣ୍ଟୁ ଦାସ ଓ ଅନ୍ୟମାନଙ୍କ ତରଫରୁ ଦାୟର ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ଏପରି ନିର୍ଦେଶ ଦେଇଛନ୍ତି। ଦିବ୍ୟାଙ୍ଗ ମତଦାତାଙ୍କ ସୁବିଧାକୁ ଦେଖି ବୁଥରେ ରାମ୍ପ୍, ସ୍ବତନ୍ତ୍ର ଧାଡ଼ି ଓ ବ୍ରେଲି ବାଲାଟ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବା କଥା। ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ସାରା ଦେଶରେ ଦିବ୍ୟାଙ୍ଗଙ୍କ ପାଇଁ ଏହି ସବୁ ସୁବିଧା କରାଯାଇଥିଲା। ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଦିବ୍ୟାଙ୍ଗ ଭୋଟରଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ଲାଗି ରାଜ୍ୟ ନିର୍ବାଚନ କମିସନ ସମସ୍ତ ଜିଲାର ଜିଲାପାଳଙ୍କୁ ୨୦୨୨, ଜାନୁଆରୀ ୨୪ରେ ନିର୍ଦେଶ ଦେଇଥିଲେ; କିନ୍ତୁ ଦିବ୍ୟାଙ୍ଗଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ବାସ୍ତବିକ କ୍ଷେତ୍ରରେ କରାଯାଇ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
More Stories
ଓଡ଼ିଶାରେ ପୁରୀ ସମେତ ଏସବୁ ସ୍ଥାନକୁୁ ସର୍ତକ ସୂଚନା…..
ବଢିଲା ପାରାଦୀପ ବନ୍ଦର ସୁରକ୍ଷା….
ଚାନ୍ଦିପୁରରେ ବସିବ ସୁରକ୍ଷା ବୈଠକ……