Report Card Odisha

| Daily Odia News

ଜମ୍ମୁ -କଶ୍ମୀରରେ ବିଧାନସଭା ବନ୍ଦ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜନୈତିକ ଦଳମାନେ ଦାବି କରୁଥିଲେ ବି ନିର୍ବାଚନ କମିସନ୍‌ ଅକ୍ଟୋବର ୩୧ ପରିବର୍ତ୍ତେ ଚୂଡ଼ାନ୍ତ ‘ଇଲେକ୍ଟୋରାଲ୍‌ ରୋଲ୍‌’ ପ୍ରକାଶନ ନଭେମ୍ବର ୨୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିବାରୁ ଚଳିତ ବର୍ଷ ଜମ୍ମୁ ଓ କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇପାରିବ ନାହିଁ। ସୂଚନାଯୋଗ୍ୟ, ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ଥିଲା ପ୍ରଥମ ବିଧାନସଭା ନିର୍ବାଚନ। ନିର୍ବାଚନ କମିସନ୍‌ ଅକ୍ଟୋବର ୩୧ରେ ଜମ୍ମୁ ଓ କଶ୍ମୀରର ଚୂଡ଼ାନ୍ତ ‘‌ଇଲେକ୍ଟୋରାଲ୍‌ ରୋଲ୍‌’ ପ୍ରକାଶ କରିବ ବୋଲି ଆଗରୁ ଘୋଷଣା କରାଯାଇଥିଲା। କିନ୍ତୁ, ‘ସ୍ପେସାଲ୍‌ ସମରି ରିଭିଜନ୍‌ ଇନ୍‌ ଦି ୟୁନିୟନ ଟେରିଟରି’ର ସଂଶୋଧିତ ସମୟସୂଚୀ ଅନୁସାରେ, ୨୦୨୨ ସେପ୍ଟେମ୍ବର ୧୫ରେ ଡ୍ରାଫ୍ଟ୍‌ ରୋଲ୍‌ ପ୍ରକାଶ ପାଇବ ଏବଂ ନଭେମ୍ବର ୨୫ ସୁଦ୍ଧା ଚୂଡ଼ାନ୍ତ ‘ଇଲେକ୍ଟୋରାଲ୍‌ ରୋଲ୍‌’ ଆସିବ। ନଭେମ୍ବର ୧୦ ତାରିଖ ସୁଦ୍ଧା ପ୍ରକ୍ରିୟା ଶେଷ ହେବ ଏବଂ ଚୂଡ଼ାନ୍ତ ପ୍ରକାଶନ ନିମନ୍ତେ କମିସନ୍‌ଙ୍କ ଅନୁମତି ଗ୍ରହଣ କରାଯାଇ ନଭେମ୍ବର ୧୯ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ। ଉଲ୍ଲେଖଯୋଗ୍ୟ, ୨୦୧୮ ନଭେମ୍ବର ମାସରୁ ଜମ୍ମୁ ଓ କଶ୍ମୀରରେ ବିଧାନସଭା ନାହିଁ। ସେତେବେଳେ ରାଜ୍ୟପାଳ ସତ୍ୟପାଲ୍‌ ମଲିକ ବିଧାନସଭା ଭଙ୍ଗ କରିବା ପରେ ‘ପିଡିପି’ ନେତ୍ରୀ ମେହ୍‌ବୁବା ମୁଫ୍‌ତି ସରକାର ଗଠନ କରିବେ ବୋଲି ଦାବି କରିଥିଲେ। ଏହା ପୂର୍ବରୁ ମୁଫ୍‌ତିଙ୍କ ନେତୃତ୍ବାଧୀନ ‘ପିଡିପି-ବିଜେପି’ ମେଣ୍ଟ ସରକାରୁ ‘ବିଜେପି’ ସମର୍ଥନ ପ୍ରତ୍ୟାହାର କରିବା ପରେ ୨୦୧୮ ଜୁନ୍‌ରୁ ସେଠାରେ ରାଜ୍ୟପାଳ ଶାସନ ଚାଲିଥିଲା। ଦୀର୍ଘ ୨ ବର୍ଷ କାର୍ଯ୍ୟ ଶେଷ କରି ୨୦୨୨ ମେ’ରେ ‘ଡିଲିମିଟେସନ୍‌ କମିସନ୍‌’ ଜମ୍ମୁ ଅଞ୍ଚଳରେ ୬ଟି ଅତିରିକ୍ତ ନିର୍ବାଚନ ମଣ୍ଡଳୀ ଏବଂ କଶ୍ମୀର ଉପତ୍ୟକାରେ ଆଉ ଗୋଟାଏ ନିର୍ବାଚନ ମଣ୍ଡଳୀ ସୃଷ୍ଟି କରିବା ଲାଗି ସୁପାରିସ କରିଥିଲା । ଜମ୍ମୁ ଓ କଶ୍ମୀରର ‘ଇଲେକ୍ଟୋରାଲ୍‌ ମ୍ୟାପ୍‌’ ପୁନଃଅଙ୍କନ କରାଯିବା ପରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ କରାଯିବ ବୋଲି ଆଶା କରାଯାଉଥିଲା।

 

 

Breaking News