Report Card Odisha

| Daily Odia News

କେନ୍ଦ୍ର ସରକାରଙ୍କର ବଡ଼ ବଡ଼ କଥା, ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣ ନାହିଁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୧୯ରେ ଜମ୍ମୁ-କାଶ୍ମୀରର ପୁଲୱାମାରେ ଯବାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଉପରେ ଆତଙ୍କବାଦୀ ସଂଗଠନ ତରଫରୁ ଆତ୍ମଘାତୀ ବିସ୍ଫୋରଣ ଘଟାଯିବାରୁ ୪୪ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ଭାରତୀୟ ବାୟୁସେନା ତରଫରୁ ପାକିସ୍ତାନର ବାଲାକୋଟ୍‌ରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ (ସର୍ଜିକାଲ୍‌ ଷ୍ଟ୍ରାଇକ) ହୋଇଥିଲା। ଏହି ଆକ୍ରମଣରେ ଅନେକ ଆତଙ୍କବାଦୀ ପ୍ରାଣ ହରାଇଥିବା ଭାରତ ସରକାରଙ୍କ ତରଫରୁ ଦାବି କରାଯାଉଥିବା ବେଳେ ସର୍ଜିକାଲ୍‌ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ। ସର୍ଜିକାଲ ଷ୍ଟ୍ରାଇକ ନେଇ କେନ୍ଦ୍ର ସରକାର ବଡ଼ ବଡ଼ କଥା କହୁଥିବା ବେଳେ ଏ ସମ୍ପର୍କରେ ପ୍ରମାଣ ଦେଇ ପାରିନଥିବା ଦିଗ୍‌ବିଜୟ କହିଛନ୍ତି। କେନ୍ଦ୍ରର ବିଜେପି ସରକାର ସବୁ ପ୍ରସଙ୍ଗରେ ମିଛ କହି ଶାସନ ଚଳାଇଥିବା ସେ ଅଭିଯୋଗ କରିଥିଲେ। ଜମ୍ମୁ-କାଶ୍ମୀରରେ ଗାଡ଼ି ଯାଞ୍ଚ କଡ଼ାକଡ଼ି କରାଯାଇଥିଲେ ଏପରି ଅଘଟଣକୁ ରୋକା ଯାଇ ପାରିଥାନ୍ତା ବୋଲି ଦିଗ୍‌ବିଜୟ ମତ ଦେଇଛନ୍ତି। ସେହିପରି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆପତ୍ତି ଉଠାଇଥିବା ବେଳେ ଏହାକୁ ନାପସନ୍ଦ କରିଛନ୍ତି ଦିଗ୍‌ବିଜୟ। ନିଜ ପ୍ରତିକ୍ରିୟାରେ ରାଜନାଥ ସିଂହ କହିଥିଲେ ଭାରତ ଯୋଡ଼ୋ ଯାତ୍ରା କରି ରାହୁଲ ଭାରତକୁ ବିଶ୍ବ ଦରବାରରେ ଅପମାନିତ କରୁଛନ୍ତି। ଏହାର ପ୍ରତ୍ୟୁତ୍ତରରେ ଦିଗ୍‌ବିଜୟ କହିଛନ୍ତି ବିଜେପି ଶାସିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ଉଦ୍‌ବୋଧନରେ ଖୋଲାଖୋଲି ଭାବେ ଲୋକଙ୍କୁ ହତ୍ୟା କରିବା କଥା କହୁଛନ୍ତି। ଏପରି କରି ସେ ଭାରତକୁ ବିଶ୍ବ ଦରବାରରେ ନିନ୍ଦିତ କରୁଥିବା ବେଳେ ରାଜନାଥ ଅଯଥାରେ ରାହୁଲଙ୍କୁ ଦୋଷ ଦେଉଛନ୍ତି।

Breaking News