ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ଏପ୍ରିଲ୍ ପହିଲାରୁ ହଲ୍ମାର୍କ ହୋଇନଥିବା ସୁନା ଗହଣା ବିକ୍ରି ବନ୍ଦ ହୋଇଯିବ । ଯେଉଁ ଗହଣାରେ ଛଅ ସଂଖ୍ୟା ବିଶିଷ୍ଟ ଏଚ୍ୟୁଆଇଡି ନମ୍ବର ଥିବ କେବଳ ସେଗୁଡ଼ିକୁ ବିକ୍ରି ଲାଗି ଅନୁମତି ଦିଆଯିବ। ଏଚ୍ୟୁଆଇଡି ହେଉଛି ଏକ ସ୍ବତନ୍ତ୍ର ପରିଚୟ ନମ୍ବର। ସୁନା ହଲ୍ମାର୍କିଂ ହେଉଛି ଶୁଦ୍ଧତାର ଏକ ସାର୍ଟିଫିକେସନ୍। ୨୦୨୧ ଜୁନ୍ ୧୬ ପର୍ଯ୍ୟନ୍ତ ସୁନା ହଲ୍ମାର୍କିଂ ସ୍ବେଚ୍ଛାଧୀନ ଥିଲା। ଏହାକୁ ପର୍ଯ୍ୟାୟକ୍ରମେ ବାଧ୍ୟତାମୂଳକ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫୬ଟି ଜିଲ୍ଲାରେ ସୁନା ହଲ୍ମାର୍କିଂକୁ ବାଧ୍ୟତାମୂଳକ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଆଉ ୩୨ଟି ଜିଲ୍ଲାକୁ ସେଥିରେ ସାମିଲ କରାଯିବାରୁ ମୋଟ ୨୮୮ ଜିଲ୍ଲାରେ ତାହା ଲାଗୁ ହୋଇଛି। ଆଉ ୫୫ଟି ଜିଲ୍ଲାରେ ଏହାକୁ ବାଧ୍ୟତାମୂଳକ କରିବା କାର୍ଯ୍ୟ ଜାରି ରହିଛି। ହଲ୍ମାର୍କ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ନିକଟରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ। ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍)ର ବିଭିନ୍ନ କାର୍ଯ୍ୟକ୍ରମର ସେ ସମୀକ୍ଷା ମଧ୍ୟ କରିଥିଲେ। କ୍ଷୁଦ୍ର ସଂସ୍ଥାରେ ଗୁଣାତ୍ମକ ମାନ ସଂସ୍କୃତିର ପ୍ରସାର କରିବା ଲାଗି ବିଭିନ୍ନ ଉତ୍ପାଦ ସାଟିର୍ଫିକେସନ ସ୍କିମ୍ରେ ସେମାନଙ୍କୁ ସାର୍ଟିଫିକେସନ୍ ଓ ସର୍ବନିମ୍ନ ମାର୍କିଂ ଫି’ ଉପରେ ୮୦ ପ୍ରତିଶତ ରିହାତି ଦେବାକୁ ନିଷ୍ପତ୍ତି ନିଆଯାଇଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ସଚିବ ନିଧି ଖାରେ କହିଛନ୍ତି ଯେ ଗ୍ରାହକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ହଲ୍ମାର୍କ ହୋଇନଥିବା ସୁନା ଗହଣାଗୁଡ଼ିକର ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ନିକଟରେ ଶେଷ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେ କହିଥିଲେ ଯେ ସାରା ଦେଶରେ ଏବେ ହଲ୍ମାର୍କିଂ ହୋଇଥିବା ସୁନା ଗହଣା ବିକ୍ରି ହୋଇଛି। ଗ୍ରାହକମାନେ ସେଭଳି ସୁନାର ଦାବି କରୁଥିବାରୁ ଯେଉଁ ଜିଲ୍ଲାରେ ହଲମାର୍କିଂ ବାଧ୍ୟତାମୂଳକ ହୋଇନାହିଁ, ସେଠାରେ ମଧ୍ୟ ତାହା ବିକ୍ରି କରାଯାଉଛି।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..