Report Card Odisha

| Daily Odia News

ଭିଆଇପିଙ୍କ ସୁରକ୍ଷାରେ ହେବ ପରିବର୍ତ୍ତନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ଦୁଇ ମାସ ମଧ୍ୟରେ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେବ | ପୂର୍ବତନ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କିମ୍ବା କେନ୍ଦ୍ର ମନ୍ତ୍ରୀ ପର୍ଯ୍ୟନ୍ତ ଭିଆଇପିଙ୍କ ସୁରକ୍ଷା ଦାୟିତ୍ବରୁ ଏଣିକି ଏନ୍‌ଏସ୍‌ଜି (ନ୍ୟାସନାଲ ସିକ୍ୟୁରିଟି ଗାର୍ଡ) କମାଣ୍ଡୋଙ୍କୁ ହଟାଇ ଦିଆଯିବ। ସେମାନଙ୍କ ସ୍ଥାନରେ ସିଆରପିଏଫ୍‌ କମାଣ୍ଡୋଙ୍କୁ ଭିଆଇପିଙ୍କ ସୁରକ୍ଷା ଦାୟିତ୍ବରେ ମୁତୟନ କରାଯିବ ବୋଲି ଜଣାପଡିଛି। ଭିଆଇପିଙ୍କ ସୁରକ୍ଷା ପ୍ରସଙ୍ଗ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ରହିଛି। ବର୍ତ୍ତମାନ ଦେଶରେ ୯ ଜଣ ଭିଆଇପିଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ଦିଆଯାଉଛି। ଏଭଳି ଭିଆଇପିଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପିର ବରି​‌ଷ୍ଠ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡୱାଣୀ, କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମାୟାବତୀ, ଜାମ୍ମୁ-କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ଗୁଲାମ ନବୀ ଆଜାଦଙ୍କ ସମେତ ଟିଡିପି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସାମିଲ ଅଛନ୍ତି। ଯଦି ଏମାନଙ୍କ ସୁରକ୍ଷା ଦାୟିତ୍ବ ସିଆରପିଏଫ୍‌ ଉପରେ ନ୍ୟସ୍ତ କରାଯାଏ, ତେବେ ଏନ୍‌ଏସ୍‌ଜିର ୪୫୦ ବ୍ଲାକ୍‌କ୍ୟାଟ୍‌ କମାଣ୍ଡୋଙ୍କୁ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଯିବ। ଅପରପକ୍ଷରେ ଜେଡ୍‌ କିମ୍ବା ତଳସ୍ତରର ସୁରକ୍ଷା ସୁବିଧା ପାଉଥିବା ଭିଆଇପିଙ୍କୁ ଏଣିକି ସିଆଇଏସଏଫ୍‌ (ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ) କମାଣ୍ଡୋ ସୁରକ୍ଷା ଯୋଗାଇବେ ବୋଲି ଅନୁମାନ କରାଯାଉଛି। ବର୍ଷୀୟାନ ବିଜେପି ନେତା ମୁରଲୀ ମନୋହର ଜୋଷୀ, ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ପିଡିପି ସୁପ୍ରିମୋ ମେହବୁବା ମୁଫ୍‌ତିଙ୍କୁ ଆଇଟିବିପି କମାଣ୍ଡୋ ସୁରକ୍ଷା ଯୋଗାଉଛନ୍ତି।

Breaking News