Report Card Odisha

| Daily Odia News

ହସ୍‌ପିଟାଲରେ ରୋଗୀ ସଂଖ୍ୟା ବଢ଼ିପାରେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସଂକ୍ରମଣ ବଢ଼ୁଥିଲେ ମଧ୍ୟ ହସ୍ପିଟାଲରେ ବହୁତ କମ୍‌ ରୋଗୀ ଭର୍ତି ହେଉଛନ୍ତି। ଦେଶରେ ଏବେ ୫ରୁ ୧୦ ପ୍ରତିଶତ ରୋଗୀଙ୍କୁ ଭର୍ତି ହେବାକୁ ପଡ଼ୁଛି। କିନ୍ତୁ ଏଥିରେ ଆଶ୍ବସ୍ତ ହେବାର ନାହିଁ। କାରଣ ଏଭଳି ସ୍ଥିତିରେ ଖୁବଶୀଘ୍ର ପରିବର୍ତ୍ତନ ହୋଇପାରେ। ତେଣୁ ସଂଗରୋଧରେ ରହୁଥିବା ରୋଗୀମାନଙ୍କ ଉପରେ କଡ଼ା ନଜର ରଖିବା ଲାଗି କେନ୍ଦ୍ର ସରକାର ସୋମବାର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୋମବାର ଏସଂପର୍କରେ ସମସ୍ତ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଛନ୍ତି। ସେ କହିଛନ୍ତି ଯେ ଦ୍ବିତୀୟ ଲହରରେ ୨୦ରୁ୨୩ ପ୍ରତିଶତ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ। ତେବେ ଗତ ଲହର ତୁଳନାରେ ଚଳିତ ଲହରରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଅଚାନକ ବଢ଼ିପାରେ। ଓମିକ୍ରନ୍‌ ଏବଂ ଏଥିସହ ଡେଲ୍‌ଟା ପ୍ରଜାତିର ଉପସ୍ଥିତି ଯୋଗୁଁ ଦେଶରେ ସଂକ୍ରମଣ ବଢ଼ୁଛି। ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟମାନେ ମୋଟ୍‌ ସକ୍ରିୟ ମାମଲା, ସଂଗରୋଧରେ ରହୁଥିବା ରୋଗୀ, ହସ୍ପିଟାଲ‌ରେ ରୋଗୀଙ୍କ ସଂଖ୍ୟା, ଅକ୍ସିଜେନ ଏବଂ ଆଇସିୟୁ ବେଡ୍‌ ସଂଖ୍ୟା , ଭେଣ୍ଟିଲେଟର ସପୋର୍ଟ ଆଦି ବିଷୟ ଉପରେ କଡ଼ା ନଜର ରଖନ୍ତୁ। ଦିଲ୍ଲୀ , ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟ ଗୁଡ଼ିକ ଯେକୌଣସି ପ୍ରକାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି। ପରିସ୍ଥିତିର ମୁକାବିଲା ଲାଗି ପର୍ଯ୍ୟାପ୍ତ ଭିତ୍ତିଭୂମି ସହିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ପ୍ରସ୍ତୁତ ରଖିବାକୁ ପଡ଼ିବ। ଏସଂପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ୍ସ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

 

Breaking News