Report Card Odisha

| Daily Odia News

ଓଡ଼ିଆ ଭାଷାରେ ହେବ ଓଏଏସ ପରୀକ୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏଣିକି ଓଡ଼ିଆ ଭାଷାରେ ହେବ ଓଏଏସ ପରୀକ୍ଷା । ଇଂରାଜୀ ଭାଷା ସହ ଓଡ଼ିଆରେ ବି ପ୍ରସ୍ତୁତ ହେବ ପ୍ରଶ୍ନପତ୍ର । ପ୍ରିଲିମ୍, ମେନ୍ ଓ ଇଣ୍ଟରଭିୟୁ ସବୁ କିଛି ପୂର୍ବରୁ ଇଂରାଜୀରେ ହେଉଥିବା ବେଳେ ଏବେ ଓଡ଼ିଆ ଭାଷାରେ ବି ହେବ । ପରୀକ୍ଷାର୍ଥୀମାନେ ଇଚ୍ଛା ମୁତାବକ ୨ଟି ଭାଷାରୁ ଯେକୌଣସି ଭାଷା ଚୟନ କରି ପରୀକ୍ଷା ଦେଇପାରିବେ। ଦୀର୍ଘ ଦିନର ଦାବି ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ OPSCକୁ ଏନେଇ ଚିଠି ହୋଇଛି । ଏହାଫଳରେ ଅଧିକ ପରୀକ୍ଷାର୍ଥୀ ଏବେ ଓଏଏସ୍‌ ପରୀକ୍ଷା ଦେବାକୁ ଆଗ୍ରହୀ ହେବେ ବୋଲି କୁହାଯାଉଛି। ପୂର୍ବରୁ ଓଡ଼ିଆରେ ଓଏଏସ ପରୀକ୍ଷା ଆୟୋଜନ ଲାଗି ଦାବି ହୋଇ ଆସୁଥିଲା । ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ସରକାରଙ୍କୁ ଅବଗତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ସର୍ବଭାରତୀୟ ପ୍ରଶାସନିକ ସେବାରେ ୧୯୮୦ ମସିହାରୁ ବହୁ ଭାଷାରେ ପରୀକ୍ଷା ହୋଇ ଆସୁଛି । ବର୍ତ୍ତମାନ ୨୨ଟି ଭାଷାରେ ପରୀକ୍ଷା ହେଉଛି । କିନ୍ତୁ ଓଡ଼ିଓଏଏସ ପରୀକ୍ଷା ଓଡ଼ିଆ ଭାଷାରେ ହୋଇ ପାରୁ ନଥିଲା। ଏନେଇ ଭାଷା ପ୍ରେମୀଙ୍କ ପକ୍ଷରୁ ୨୦୧୧ରେ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଯାହାର ଶୁଣାଣି କରି କୋର୍ଟ ଓଡ଼ିଆ ଭାଷାରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ଆଉ ଏବେ ଏହା ଲାଗୁ ହେବାକୁ ଯାଉଛି । ତେବେ ୨୦୧୭ରେ ଓଡ଼ିଆ ଭାଷାରେ ଲେଖିବା ପାଇଁ ଅନୁମତି ଦିଆଯାଇଥିଲେ ବି ଅନେକ ପରୀକ୍ଷାର୍ଥୀ ଏନେଇ ଅବଗତ ହୋଇପାରିନଥିଲେ । ଓଡ଼ିଆ ଭାଷାରେ ପ୍ରଶ୍ନ ଆସିବ ଓ ଓଡ଼ିଆରେ ହିଁ ଉତ୍ତର ଦେବେ ପରିକ୍ଷାର୍ଥୀ। ଫଳରେ ଏବେ ଓଏଏସ୍‌ ପରୀକ୍ଷା ଦେବାକୁ ବହୁ ପିଲା ଆଗ୍ରହୀ ହେବେ ବୋଲି କହିଛନ୍ତି ଶିକ୍ଷାବିତ।

Breaking News