Report Card Odisha

| Daily Odia News

ଜିତୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କଲା ଇଡି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବେଆଇନ ଖଣି ଓ ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତ ପୂର୍ବତନ ବିଧାୟକ ଜିତେନ୍ଦ୍ର ନାଥ ପଟ୍ଟନାୟକ(ଜିତୁ)ଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟ୍ ଦାଖଲ କରିଛି । ପୂର୍ବରୁ ତାଙ୍କର ୧୩୩.୮୭କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଥିଲା । ସୂଚନା ଅନୁସାରେ, ମନି ଲଣ୍ଡ୍ରିଂ ମାମଲାରେ ଖୋର୍ଦ୍ଧା ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ମେସର୍ସ ବିଡି ପଟ୍ଟନାୟକ ପାଟର୍ନରସିପ୍ ଫାର୍ମ ବିରୁଦ୍ଧରେ ପିଏମଏଲ୍ ଆକ୍ଟରେ ଏହି ମାମଲା ରୁଜୁ ହୋଇଛି । ଇଡି ଦ୍ୱାରା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ବିରୁଦ୍ଧରେ ବେଆଇନ ଖଣି ଖନନ ଓ ମନି ଲଣ୍ଡ୍ରିଂ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଏହି ଚାର୍ଜସିଟ୍ ଦାଖଲ ସହ ଜିତୁ ପଟ୍ଟନାୟକ ଓ ବିଡି ପଟ୍ଟନାୟକ ଫାର୍ମ ବିରୁଦ୍ଧରେ ଦଣ୍ଡାଦେଶ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆବେଦନ କରିଛି । ଏହାସହିତ ପୂର୍ବରୁ ଜବତ ହୋଇଥିବା ୧୩୩.୮୭କୋଟି ଟଙ୍କାକୁ ବ୍ୟାଜ୍ୟାପ୍ତି କରିବାକୁ ମଧ୍ୟ ଇଡି ତା’ର ଆବେଦନରେ ଦର୍ଶାଇଛି । ମିଳିଥିବା ସୂଚନା ଅନୁସାରେ-ଇଡି ତଦନ୍ତବେଳେ ଜାଣିବାକୁ ପାଇଛି ଯେ, ମେସର୍ସ ବିଡି ପଟ୍ଟନାୟକ ଫାର୍ମ ବେଆଇନ ଖଣି କାରବାରରେ ସମ୍ପୃକ୍ତ ଥିଲା । କମ୍ପାନୀ ପାଖରେ ରାଜ୍ୟ ସରକାରଙ୍କ ବୈଧ ଖଣି ଲିଜ୍ ଓ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଆବଶ୍ୟକ ଅନୁମୋଦନ ନଥାଇ ମଧ୍ୟ ଏହି କମ୍ପାନୀ ଖଣି ଖନନ କାର୍ଯ୍ୟ କରିଥିଲା । ଯେଉଁଥିପାଇଁ ୧୯୮୯ରୁ ୨୦୦୯ ମସିହା ମଧ୍ୟରେ ରାଜ୍ୟ ରାଜକୋଷକୁ ୧୩୦.୩୯କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା । ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ଏହି ଅର୍ଥକୁ ନିଜ ତଥା ପରିବାରର ଅନ୍ୟ ବ୍ୟବସାୟରେ ବିନିଯୋଗ କରିଥିବା ଜଣାପଡ଼ିଛି । ବେଆଇନ ଖଣି ଖନନକୁ ନେଇ ରାଜ୍ୟ ଭିଜିଲାନ୍ସର ମାମଲାକୁ ଆଧାର କରି ଇଡି ଏହି ମାମଲାର ତଦନ୍ତ କରୁଥିଲା ।

 

Breaking News