ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ| ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଓଡ଼ିଶାରେ ୭୫ କମ୍ପାନୀ କେନ୍ଦ୍ରୀୟ ପୋଲିସ ଫୋର୍ସ ମୁତୟନ ହୋଇଛି। ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଏହି କେନ୍ଦ୍ରୀୟ ପୋଲିସ ଫୋର୍ସକୁ ମୁତୟନ କରାଯାଇଛି ବୋଲି ସିଆରପିଏଫ ଆଇଜି ଅର୍ଚ୍ଚନା ଶିବହରେ କହିଛନ୍ତି। ସୂଚନା ଦେଇ ସେ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ରାଜ୍ୟରେ ୩୫ କମ୍ପାନୀ ସିଆରପିଏଫ, ୩୫ କମ୍ପାନୀ ବିଏସଏଫ୍ ଓ ୫ କମ୍ପାନୀ ସିଆଇଏସଏଫ୍ ଯବାନ ମୁତୟନ ହୋଇଛନ୍ତି। ଏହି କେନ୍ଦ୍ରୀୟ ଫୋର୍ସ ମାର୍ଚ୍ଚ ୧ରୁ ୨ଟି ପର୍ଯ୍ୟାୟରେ ଓଡ଼ିଶାରେ ମୁତୟନ ହୋଇସାରିଛନ୍ତି। ଗୋଟିଏ କମ୍ପାନୀରେ ପ୍ରାୟ ୧୦୦ଜଣ ଯବାନ ରହୁଛନ୍ତି। ତେଣୁ ମୋଟ ୭୫୦୦ କେନ୍ଦ୍ରୀୟ ପୋଲିସ ଫୋର୍ସ ଯବାନଙ୍କୁ ରାଜ୍ୟର ନିର୍ବାଚନରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାର ଦାୟିତ୍ୱ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଅର୍ଚ୍ଚନା ଶିବହରେଙ୍କ ଏହି କେନ୍ଦ୍ରୀୟ ପୋଲିସ ଫୋର୍ସର ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ମିଳିଛି। ଏହି କେନ୍ଦ୍ରୀୟ ଫୋର୍ସକୁ ରାଜ୍ୟର ସମ୍ବେଦନଶୀଳ ସ୍ଥାନ ସମେତ ଉତ୍ତେଜନା ଆଶଙ୍କା ଥିବା ଅଂଚଳରେ ମୁତୟନ କରାଯିବ। ନକ୍ସଲ ଉପଦ୍ରୁତ ଅଂଚଳ ସମେତ ବିଭିନ୍ନ ଅଂଚଳରେ ଏହି କେନ୍ଦ୍ରୀୟ ଫୋର୍ସ ପାଟ୍ରୋଲିଂ ଓ ଫ୍ଲାଗ ମାର୍ଚ୍ଚ କରି ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରୁଛନ୍ତି। ରାଜ୍ୟ ପୋଲିସ ସହ ସମନ୍ୱୟ ରକ୍ଷା କରି ରାଜ୍ୟର ସମସ୍ତ ସମ୍ବେଦନଶୀଳ ଓ ଉଚ୍ଚ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ନିର୍ବାଚନ ସମୟରେ ନକ୍ସଲ ଗତିବିଧି ବଢ଼ିବାର ଆଶଙ୍କା ଥିବାରୁ ଏହି କେନ୍ଦ୍ରୀୟ ଫୋର୍ସକୁ ଆଗୁଆ ରାଜ୍ୟର ସୀମାବର୍ତ୍ତୀ ଅଂଚଳରେ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଆଜି ଜାତୀୟ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଆଇଏଏସ୍, ଆଇପିଏସ୍ ଓ ପ୍ରମୁଖ ଅଧିକାରୀମାନଙ୍କ ସହ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆଲୋଚନା କରିଛନ୍ତି। ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ କମିଶନ ଗୁରୁତ୍ୱ ଦେଇଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..