ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟରେ ଶିଶୁଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଲାଗି ଶିଶୁ ନୀତି-୨୦୨୨, କୋଭିଡରେ ନିୟୋଜିତ ସ୍ବାସ୍ଥ୍ୟକର୍ମଚାରୀଙ୍କୁ ନିଯୁକ୍ତି ବେଳେ ୫ ପ୍ରତିଶତ ରିଆତି, ଜଳସେଚନ ଓ ବିବିଧ ଚାଷ ଲାଗି ଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ ସହ ଦୀର୍ଘଦିନ ଧରି ରାଜ୍ୟରେ ଇଚ୍ଛାଧୀନ କୋଟାକୁ ନେଇ ଉପୁଜିଥିବା ପ୍ଲଟ୍-ଘର ଆବଣ୍ଟନ ବିବାଦର ଅନ୍ତ ଘଟାଇବା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ‘ପ୍ରାରମ୍ଭ ଓଡ଼ିଶା ରାଜ୍ୟ ଶିଶୁ ନୀତି-୨୦୨୨କୁ ଅନୁମୋଦନ ମିଳିଛି। ଏଥିରେ ଶିଶୁଙ୍କ ଅଧିକାର ସହ ଉତ୍ତମ ଶାରୀରିକ ଓ ମାନସିକ, ସ୍ବାସ୍ଥ୍ୟ, ଶିକ୍ଷା ଅଧିକାରକୁ ସୁନିଶ୍ଚିତ କରାଯିବ। ଶିଶୁଟି ଜନ୍ମରୁ ୧୮ବର୍ଷ ପର୍ଯ୍ୟନ୍ତ ଯେଭଳି ସମସ୍ତ ଅଧିକାର ପାଇ ନିରନ୍ତର ବିକାଶ ପଥରେ ଆଗେଇବ ସେଥିପାଇଁ ଶିଶୁ ନୀତିରେ ବ୍ୟବସ୍ଥା କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ପ୍ରଭାବିତ, ଅନାଥ, ଭିନ୍ନକ୍ଷମ ବର୍ଗର ଶିଶୁଙ୍କୁ ସମାଜରେ ସମ୍ମାନଜନକ ଜୀବନଯାପନ ଯୋଗାଇ ଦିଆଯିବ, ମାତ୍ର ବିଜ୍ଞପ୍ତିର ୧ ବର୍ଷ ମଧ୍ୟରେ ସରକାର ଏହାକୁ ଠିକଣା ଭାବେ କାର୍ଯ୍ୟକାରୀ କରିବେ । ସେହିପରି ପରିପୂରକ ପୁଷ୍ଟି ଯୋଜନାରେ ଅଙ୍ଗନବାଡ଼ି ଶିଶୁଙ୍କୁ ଛତୁଆ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦିଆଯିବ। ସେଥିଲାଗି ଏଣିକି ସମନ୍ବିତ ଶିଶୁ ବିକାଶ ଯୋଜନାର ହିତାଧିକାରୀଙ୍କୁ ଦିଆଯାଉଥିବା ‘ଟିଏଚଆର’ର ବିକେନ୍ଦ୍ରୀକରଣ, ଉତ୍ପାଦନ ଏବଂ ବଣ୍ଟନ ଲାଗି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ମନୋନୟନ କରାଯିବ। ସେହିଭଳି ଟାସ୍କ ଫୋର୍ସ ରିପୋର୍ଟର ଅନୁମୋଦନ ଅନୁଯାୟୀ ବିଡିଏ, ସିଡିଏ ଏବଂ ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ ଦ୍ବାରା ଯେଉଁସବୁ ଏକକ ଆବଣ୍ଟନଗ୍ରାହୀଙ୍କୁ ଇଚ୍ଛାଧୀନ କୋଟା ଜରିଆରେ ଜମି ବା ଗୃହ ଯୋଗାଇ ଦିଆଯାଇଛି ସେନେଇ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଇଚ୍ଛାଧୀନ କୋଟାରେ ଯେଉଁମାନେ ଗୃହ ବା ଜମି ନେଇଛନ୍ତି, ଯଦି ତାହା ଯଥାର୍ଥ ବା ବିଭିନ୍ନ ନ୍ୟାୟାଳୟଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ନିଷ୍ପତ୍ତି ଅନୁକୂଳ ସମ୍ମତ, ସେକ୍ଷେତ୍ରରେ ଆବଣ୍ଟନ ଗୁଡ଼ିକୁ ଟାସ୍କ ଫୋର୍ସ ରିପୋର୍ଟ ପରିଧିରୁ ବାଦ୍ ଦିଆଯିବ। ଯେହେତୁ ଏହିସବୁ ଏକକ ମୂଳ ଆବଣ୍ଟନ ଗୁଡ଼ିକୁ ବୈଧ ବୋଲି ଗ୍ରହଣ କରାଯାଇଛି, ସେହି ଅନୁଯାୟୀ ଆବଣ୍ଟନଗ୍ରାହୀଙ୍କ ଉତ୍ତରାଧିକାରୀଙ୍କ ସପକ୍ଷରେ ଦାଖଲ ଖାରଜ ଓ ଆବଣ୍ଟନ ପରବର୍ତ୍ତୀ କାର୍ଯ୍ୟାବଳୀକୁ ଯଥାର୍ଥ ଗ୍ରହଣ ହେବ। ସମ୍ପୃକ୍ତ ଗ୍ରହୀତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ସେହିପରି କୃଷି ଓ କୃଷକଙ୍କ ବିକାଶ ଲାଗି ବୃହତ ଉଠାଜଳସେଚନ ପ୍ରକଳ୍ପ ଜରିଆରେ ପାହାଡ଼ିଆ ଜମିରେ ଫସଲ ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଚଳିତବର୍ଷ ଫସଲ ବିବିଧକରଣ ଯୋଜନା ହାତକୁ ନିଆଯାଇଛି। ଏଥିରେ କୃଷକ ଉତ୍ପାଦନକାରୀ ସଂଘ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ ବେସରକାରୀ ସଂସ୍ଥା ଓ ଅନୁଷ୍ଠାନ ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଆସନ୍ତା ୩ବର୍ଷ ମଧ୍ୟରେ ୩.୭ଲକ୍ଷ ହେକ୍ଟର ଧାନ ଫସଲ ଚାଷ ପରେ ପଡ଼ିଆ ରହୁଥିବା ଜମିରେ ଡାଲି ଜାତୀୟ ଫସଲ, ବୃହତ ଉଠାଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧.୫ ଲକ୍ଷ ହେକ୍ଟର ଉଚ୍ଚ ଏବଂ ମଧ୍ୟମ ଧାନ ଜମିେର ଧାନ ପରିବର୍ତ୍ତେ ଅଣଧାନ ଫସଲ ଓ ୦.୫ ଲକ୍ଷ ହେକ୍ଟର ଜମିରେ ଦେଶୀ ସୁଗନ୍ଧିତ ଧାନ ଚାଷ କରାଯିବ। ୨୦୨୨-୨୩ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ସରକାର ଏଥିଲାଗି ୯୨୯.୫୫କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିଭଳି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରକାରୀ ସହାୟତାପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଉପବିଭାଗୀୟ ଡାକ୍ତରଖାନା ଓ ଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ଷଣାବେକ୍ଷଣ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କରିବ। ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଦାୟିତ୍ବ ପୁନର୍ବାର ପୂର୍ତ୍ତ ବିଭାଗକୁ ଫେରାଇ ଅଣାଯିବ। ଜଳସେଚନ ଓ ପାନୀୟଜଳର ସୁବ୍ୟବସ୍ଥା ଲାଗି କ୍ୟାବିନେଟ ପ୍ରାୟ ୧୫୦୦ କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ଦେଇଛି। ରେଙ୍ଗାଲି ବାମପାର୍ଶ୍ବ କେନାଲର ୧୦୦.୪୯୦ କିମିଠାରୁ ୧୦୭.୫୦୦ କିମି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଜାଇକା ଦ୍ବାରା କରାଯିବ। ଏଥିଲାଗି ୨୯୭.୧୩କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପ କାର୍ଯ୍ୟ ୩ବର୍ଷରେ ଶେଷ ହେବ। ଯାଜପୁର ଓ କେନ୍ଦୁଝର ଜିଲାରେ ୧୯,୮୩୫ ହେକ୍ଟର ଜମିକୁ କୋରେଇ ଶାଖା କେନାଲ ଓ ବରପଦା ଶାଖା କେନାଲ ମାଧ୍ୟମରେ ଜଳସେଚନ ସୁବିଧା ହେବ। ଏହାବାଦ୍ କଟକ ଜିଲାର ନରସିଂହପୁର, ବଡ଼ମ୍ବା ଓ ତିଗିରିଆ ବ୍ଲକର ସମନ୍ବିତ ବିକାଶ ପାଇଁ ହାଡୁଆ ମଧ୍ୟମ ଜଳସେଚନ ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଏହି ପ୍ରକଳ୍ପରେ କଟକର ଜିଲାର ଖାରୋଡ଼ା ଗ୍ରାମ ନିକଟରେ ହାଡୁଆ ନଦୀ ଉପରେ ୩୮୭ ମିଟର ଦୈର୍ଘ୍ୟ ଓ ୪୩.୮୨୫ ମିଟର ଉଚ୍ଚ କଂକ୍ରିଟ ବନ୍ଧ ନିର୍ମାଣ ହେବ। ଏହି ପ୍ରକଳ୍ପ ଲାଗି ୨୨୧.୪୩କୋଟି ଖର୍ଚ୍ଚ ହେବ। ୩୦ମାସ ମଧ୍ୟରେ ନିର୍ମାଣ ଶେଷ ହେବ। ଏହାଦ୍ବାରା ନରସିଂହପୁର, ବଡ଼ମ୍ବା ଓ ତିଗିରିଆ ଆଦି ମରୁଡ଼ିପ୍ରବଣ ଅଞ୍ଚଳରେ ୬ହଜାର ୨୦୫ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ। ଏହାବାଦ୍ ୩ଲକ୍ଷ ୭ହଜାର ୬୩୮ ଗ୍ରାମୀଣ ଲୋକଙ୍କୁ ପାନୀୟଜଳର ସୁବିଧା ହୋଇପାରିବ। ଶ୍ରୀ ମହାପାତ୍ର କହିଥିଲେ ଯେ ରାଜ୍ୟ କ୍ୟାବିନେଟ ଆଜି ଓଡ଼ିଶା ବନ୍ଦର ନୀତି-୨୦୨୨କୁ ଅନୁମୋଦନ ଦେଇଛି। ଏହି ନୀତି ଜରିଆରେ ସାମୁଦ୍ରିକ ଜାହାଜ ପରିବହନ, ପର୍ଯ୍ୟଟନ ପ୍ରୋତ୍ସାହନ, ବହୁମୁଖୀ ବନ୍ଦର ନିର୍ମାଣ, ସମୁଦ୍ର-ବିମାନ ସଂଯୋଗ ସୁବିଧା ହୋଇପାରିବ। ଜାହାଜ ନିର୍ମାଣ ଓ ପୁନଃ ବିନିଯୋଗ ଉଦ୍ୟୋଗ ପାଇଁ ଭିତ୍ତିଭୂମି ସୃଷ୍ଟି ଏହା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦନ ହୋଇପାରିବ। ସେହିପରି ଶକ୍ତି ବିଭାଗର ଏକ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି। ବିଭିନ୍ନ କ୍ୟାପ୍ଟିଭ ଗ୍ରାହକଙ୍କ ବକେୟା ବିଦ୍ୟୁତ୍ ଶୁଳ୍କ ସମାଧାନ ଲାଗି ସରକାର ଏକକାଳୀନ ସମାଧାନ ଯୋଜନାକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ବାରା ରାଜ୍ୟ ସରକାରଙ୍କୁ ବିଦ୍ୟୁତ୍ ବକେୟା ଦେୟ ମିଳିପାରିବ। ସେହିପରି ରାଜ୍ୟରେ ଖଣି ଚୋରି ରୋକିବା ଲାଗି ରାଜସ୍ବ ବିଭାଗ ଅଧୀନରେ ଥିବା କ୍ଷୁଦ୍ର ଖଣିଜ ନିର୍ଦେଶାଳୟକୁ ଇସ୍ପାତ ଓ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହାଦ୍ବାରା ସଇରାତ ଉତ୍ସ ଗୁଡ଼ିକ ଏଣିକି ଇସ୍ପାତ ଓ ଖଣି ବିଭାଗ ବୁଝିବ। ଆସନ୍ତା ଜାନୁଆରୀ ୧୩ରୁ ୨୯ ତାରିଖ ଯାଏଁ ଓଡ଼ିଶାରେ ବିଶ୍ୱକପ୍ ହକି ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ। ରାଉରକେଲାରେ ମୋ ବସ୍ ସେବାର ଶୁଭାରମ୍ଭ ହେବ। ସଂସ୍କୃତି ବିଭାଗର ପ୍ରସ୍ତାବ ଅନୁଯାୟୀ ଖଣ୍ଡଗିରିସ୍ଥିତ ଯତୀନ ଦାସ କଳାକେନ୍ଦ୍ରକୁ ବିଶ୍ବସ୍ତରୀୟ ସଂଗ୍ରହାଳୟ କରିବା ଲାଗି ୪.୦୪କୋଟି ଟଙ୍କାର ସହାୟତା ଦିଆଯିବ। କ୍ୟାବିନେଟର ନିଷ୍ପତ୍ତିକ୍ରମେ ୩ ଲକ୍ଷ କିମ୍ବା ଅଧିକ ଜନସଂଖ୍ୟା ବିଶିଷ୍ଟ ପୌରପାଳିକାରେ କ୍ଷେତ୍ରୀୟ ଅଞ୍ଚଳରେ ଏକାଧିକ ୱାର୍ଡକୁ ନେଇ ୱାର୍ଡ କମିଟି ଗଠନ ହୋଇପାରିବ। ୱାର୍ଡ କମିଟି ବାର୍ଷିକ ବଜେଟ ପ୍ରସ୍ତୁତ ସହିତ ସ୍କ୍ବାଡ୍ କମିଟି ବସ୍ତିକୁ ମୌଳିକ ସେବା ଓ ଭିତ୍ତିଭୂମି ଯୋଗାଇ ଦେବା ଲାଗି ବସ୍ତିବାସିନ୍ଦା ସଂଘର ସୁପାରିସକୁ ବିଚାରକୁ ନିଆଯିବ। ସହରାଞ୍ଚଳର ସ୍ଥାନୀୟ ସଂସ୍ଥାଗୁଡ଼ିକ ବିପର୍ଯ୍ୟୟ ପରିଚାଳନା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ କ୍ଷମତା ପ୍ରଦାନ କରାଯିବ। ଏହାସହିତ ଖ’ ଓ ଗ’ ବର୍ଗ ସ୍ବତନ୍ତ୍ର ସେବା ନିଯୁକ୍ତିର ପ୍ରଣୟନ ଏବଂ ଜଳସମ୍ପଦ ବିଭାଗ ପକ୍ଷରୁ ୮ଜଣ ୱାର୍କଚାର୍ଜ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିୟମିତ କରିବା ଲାଗି କ୍ୟାବିନେଟ ନିଷ୍ପତ୍ତି ନେଇଥିବା ଶ୍ରୀ ମହାପାତ୍ର କହିଛନ୍ତି। ଯେଉଁ ସ୍ବଳ୍ପକାଳୀନ କରୋନା ସ୍ବାସ୍ଥ୍ୟ କର୍ମୀମାନେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ନିୟୋଜିତ ହୋଇଥିଲେ। ସର୍ବନିମ୍ନ ୩ ମାସ ଧରି କରୋନା ଡ୍ୟୁଟି କରିଥିଲେ। ସେମାନଙ୍କ ନିମନ୍ତେ ନିଯୁକ୍ତି ପରୀକ୍ଷାରେ ସମୁଦାୟ ମାର୍କର ୫% ଅତିରିକ୍ତ ମାର୍କ ଏକକାଳୀନ ରୂପେ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ସେମାନେ ନିଯୁକ୍ତି ପରୀକ୍ଷାରେ ପାଇଥିବା ମାର୍କରେ ଯୋଗହେବ ଏବଂ ନିଯୁକ୍ତି ପରୀକ୍ଷାର ସର୍ବାଧିକ ମାର୍କରୁ ଅଧିକ ହେବ ନାହିଁ। ଏହି ବ୍ୟବସ୍ଥା କେବଳ ଷ୍ଟାଫ ନର୍ସ, ଫାର୍ମାସିଷ୍ଟ, ଲାବୋରେଟୋରି ଟେକ୍ନିସିଆନ, ରେଡିଓଗ୍ରାଫର, ଏମପିଏଚଡବ୍ଲ୍ୟୁ (ଏମ), ଏମପିଏଚଡବ୍ଲ୍ୟୁ (ଏଫ) ନିମନ୍ତେ ହେବାକୁ ଥିବା ପରବର୍ତ୍ତୀ ନିଯୁକ୍ତି ପ୍ରକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ହେବ। ରାଜ୍ୟରେ ଇଞ୍ଜିନିୟରିଂ, ବିଜ୍ଞାନ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଅନୁସନ୍ଧାନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ ଏହାର ପ୍ରୟୋଗ, ତାଲିମ, ଅନୁସନ୍ଧାନକୁ ପ୍ରୋତ୍ସାହନ ନିମନ୍ତେ ସରକାର ୨୦୨୧ରେ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିକୁ ଏକ ଅଣ ଅନୁସନ୍ଧାନ ଏକକ ବିଶ୍ବବିଦ୍ୟାଳୟସ୍ତରକୁ ଉନ୍ନୀତ କରି ଓଡ଼ିଶା ଟେକ୍ନୋଲୋଜି ଏବଂ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏହି ବିଶ୍ବବିଦ୍ୟାଳୟ ଆସନ୍ତା ୫ବର୍ଷ ମଧ୍ୟରେ ବର୍ତ୍ତମାନ ସିଟ୍ ସଂଖ୍ୟା ୫ ହଜାରରୁ ୧୦ ହଜାରକୁ ବୃଦ୍ଧି କରିବାକୁ ଉଦ୍ଦେଶ୍ୟ ରଖିଛି। ଯଦ୍ଦ୍ବାରା ରାଜ୍ୟରେ ଥିବା ଗରିବ ଏବଂ ମେଧାବୀ ଛାତ୍ରଛାତ୍ରୀ ଏଠାରେ ଥିବା ଉନ୍ନତ ବୈଷୟିକ ଜ୍ଞାନକୌଶଳ ଶିକ୍ଷାଲାଭ ଉଠାଇ ପାରିବେ। ଏହି ମାଷ୍ଟରପ୍ଲାନ କାର୍ଯ୍ୟକାରୀ ହେବା ଦ୍ବାରା ଅନେକ ଗବେଷଣା ପାଠ୍ୟକ୍ରମ ଉପସ୍ଥାପନ ହୋଇପାରିବ।
More Stories
ରାଜଧାନୀରେ ଏନକାଉଣ୍ଟର….
ତାହାୱର ରାଣା କୁ ଗିରଫ କଲା ଏନ୍ଆଇଏ…..
ଆଜି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ.….