ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ହାଇସ୍କୁଲରେ ପାଠପଢ଼ା ସାମିଲ ହେବ ଏକାଦଶ | ରାଜ୍ୟରେ ଶିକ୍ଷାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବଡ଼ ଘୋଷଣା କରିଛନ୍ତି | ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲରେ ଏକାଦଶ ପାଠପଢ଼ା ଆରମ୍ଭ ହେବ । ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ସ୍କୁଲରେ ଏକାଦଶ ଖୋଲିବା ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏକାଦଶ ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ । ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ୧୦୦ଟି ହାଇସ୍କୁଲକୁ ଅପଗ୍ରେଡ୍ କରାଯିବ । ଡ୍ରପ୍ଆଉଟ୍ ରୋକିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଯେଉଁସବୁ ବ୍ଲକରେ ଯୁକ୍ତ ୨ କଲେଜ ନାହିଁ ସେଠାରେ ହାଇସ୍କୁଲକୁ ଅପଗ୍ରେଡ୍ କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯୁକ୍ତ ୨ କଲେଜ ନ ଥିବାରୁ ମାଟ୍ରିକ ପାସ୍ ପରେ ପିଲାଏ ପାଠ ଛାଡୁଛନ୍ତି । ଏଭଳି ପଦକ୍ଷେପ ପରେ ବିଶେଷକରି ଝିଅମାନେ ଅଧିକ ଉପକୃତ ହେବେ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ ବହୁ ଦୂରରେ କଲେଜ ରହିଛି । ତେଣୁ ମାଟ୍ରିକ୍ ପାସ୍ ପରେ ଏତେ ଦୂର ଯାଇ ପିଲାମାନେ ପାଠ ପଢ଼ିବା କଷ୍ଟାସାଧ୍ୟ ହେଉଛି । ଯେଉଁଥିପାଇଁ ପିଲାମାନେ ପାଠ ପଢ଼ା ଛାଡ଼ି ଦେଉଛନ୍ତି । ଛାତ୍ରୀମାନେ ଅଧାରୁ ପାଠ ପଢ଼ା ଛାଡ଼ି ନିଜକୁ ଘର କାମରେ ନିୟୋଜିତ କରୁଛନ୍ତି । ଏଥିରେ ରୋକ୍ ଲଗାଇବା ପାଇଁ ହାଇସ୍କୁଲକୁ ଅପ୍ଗ୍ରେଡେସନ୍ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଏହାଦ୍ୱାରା ଡ୍ରପ୍ଆଉଟ୍ କମିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଏହା ସହିତ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ସମୀର ରଞ୍ଜନ ଦାଶ ଦୁଃଖ ପ୍ରକାଶ କରିଛନ୍ତି । କହିଛନ୍ତି କି ମୋ ଜିଲ୍ଲାର ଜିଲ୍ଲା ପରିଷଦଙ୍କ ଦେହାନ୍ତ ପାଇଁ ମୁଁ ମର୍ମାହତ ।






More Stories
ମଦ ପାଇଁ ମା’କୁ ଜାଳିଦେଲେ ପୁଅ…..
ମୁଖ୍ୟମନ୍ତ୍ରୀଙ୍କୁ ସୁଆଦ ବିଞ୍ଝାରପୁର ଦେଶୀଗାଈ କ୍ଷୀର…..
ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର……