ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ନବୀନ ପଟ୍ଟନାୟକ ସରକାରରେ ପାୱାରଫୁଲ ଅଫିସରଙ୍କୁ ସଚିବାଳୟ ବାହାରକୁ ପଠାଇ ଦିଆଯାଇଛି । ବରିଷ୍ଠ ଆଇଏଏସ୍ ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସହ ଜଙ୍ଗଲ ଓ ପରିବେଶ ବିଭାଗର ଦାୟିତ୍ୱ ନ୍ୟସ୍ତ ହୋଇଛି । ସେହିପରି ଦେଓରଞ୍ଜନ ସିଂଙ୍କୁ ସତ୍ୟବ୍ରତଙ୍କ ସ୍ଥାନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ମୋଟ ୧୮ଜଣ ବରିଷ୍ଠ ଆଇଏଏସଙ୍କ ବଦଳି ହୋଇଛି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୬ ବ୍ୟାଚ୍ ଆଇଏଏସ୍ ରୂପାରୋଶନ ସାହୁଙ୍କୁ ଦକ୍ଷିଣାଂଚଳ ଆରଡିସି ଭାବେ ବଦଳି ହୋଇଛି । ନବୀନ ସରକାରରେ ଶ୍ରୀମତୀ ସାହୁ ପାୱାରଫୁଲ ଆଇଏଏସ୍ ଥିଲେ । ଏକମାତ୍ର ଆଇଏଏସ୍ ଭାବେ ଗତ ଅଢ଼େଇମାସ ଧରି ସେ ତାଙ୍କର ପୁରୁଣା ଦାୟିତ୍ୱରେ ରହିଥିଲେ । ତେବେ ମୋହନ ସରକାର ତାଙ୍କୁ ଅନୁସୂଚିତ ଜାତି,ଜନଜାତି ଓ ପଛୁଆବର୍ଗ ବିଭାଗର ସଚିବ ପଦରୁ ହଟାଇ ଦକ୍ଷିଣାଂଚଳ ଆରଡିସି ଭାବେ ବ୍ରହ୍ମପୁରକୁ ବଦଳି କରିଛନ୍ତି । ଆଇଏଏସ୍ ସଚିନ ରାମଚନ୍ଦ୍ର ଯାଦବ ଙ୍କୁ ଉତ୍ତରାଂଚଳ ଆରଡିସି ଭାବେ ସମ୍ବଲପୁର ବଦଳି କରାଯାଇଛି । ଶ୍ରୀ ଯାଦବ ଏବେ ପର୍ଯ୍ୟଟନ ନିର୍ଦ୍ଦେଶକ ସହ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । ଆଇଏଏସ୍ ଦେଓରଞ୍ଜନ ସିଂଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି ହୋଇଛି । ସେ ଏସଆରସି ଓ ଓସଡମା ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବେ । ଶ୍ରୀ ସିଂ ଏବେ ଇସ୍ପାତ ଓ ଖଣି ବିଭାଗର ସଚିବ ସମେତ ଓଡ଼ିଶା ଖଣି ନିଗମ ଅଧ୍ୟକ୍ଷ, ଓଏମଇସିଏଲ ଅଧ୍ୟକ୍ଷ, ଇଡ୍କୋ ଅଧ୍ୟକ୍ଷ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭଳି ଏକାଧିକ ଦାୟିତ୍ୱ ତୁଲାଉଥିଲେ । ଆଇଏଏସ୍ ସୁରେନ୍ଦ୍ର କୁମାରଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି ହୋଇଛି । ସେ ସାଧାରଣ ପ୍ରଶାସନ ବିଭାଗ ଓ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସମେତ ଓଡ଼ିଶା ଖଣି ନିଗମ, ଓଏମଇସିଏଲ ଅଧ୍ୟକ୍ଷ ଓ ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।ସେହିପରି ୧୯୯୫ ବ୍ୟାଚ୍ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟାସ୍ତ କରାଯାଇଛି। ଶ୍ରୀ ଶର୍ମା ଏବେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସହ ଇପିକଲ ଅଧ୍ୟକ୍ଷ ଏବଂ ଏମଏସଏମଇ ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ୧୯୯୬ ବ୍ୟାଚ ଆଇଏଏସ୍ ଶାଶ୍ୱତ ମିଶ୍ରଙ୍କୁଠୁ ଶକ୍ତି ବିଭାଗ କାଢ଼ି ନିଆଯାଇଛି ଓ ସେ ଏବେ କେବଳ ଅର୍ଥ ବିଭାଭ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଆଇଏଏସ୍ ବିଷ୍ଣୁପଦ ସେଠୀ ଅତିରିକ୍ତ ଭାବେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏବଂ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଇବେ । ଆଇଏଏସ୍ ଉଷା ପାଢ଼ୀଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି ହୋଇଛି । ଶ୍ରୀମତୀ ପାଢ଼ୀ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ତାଙ୍କଠୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦାୟିତ୍ୱ କାଢ଼ି ନିଆଯାଇଛି । ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ୧୯୯୮ ବ୍ୟାଚ୍ ଆଇଏଏସ୍ ବିଶାଳ ଗଗନଙ୍କୁ ନୂଆଦିଲ୍ଲୀରେ ପ୍ରମୁଖ ଆବାସିକ କମିଶନର ଭାବେ ଅବସ୍ଥାପିତ କରାଯାଇଛି ।
ରାଜ୍ୟପାଳଙ୍କ ପ୍ରମୁଖ ସଚିବ ୧୯୯୯ ବ୍ୟାଚ୍ ଆଇଏଏସ୍ ଏନବିଏସ୍ ରାଜପୁତଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ବଦଳି କରାଯାଇଛି । ସେ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ତାଙ୍କଠୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ କାଢ଼ି ନିଆଯାଇଛି ।
ସ୍କୁଲ ଓ ଗଣଶିକ୍ଷା ସଚିବ ୨୦୦୩ ବ୍ୟାଚ୍ ଆଇଏଏସ୍ ଏସ୍ ଅଶ୍ୱଥିଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଭାବେ ବଦଳି କରାଯାଇଛି । ଆଇଏଏସ୍ ବଳବନ୍ତ ସିଂଙ୍କୁ ପର୍ଯ୍ୟଟନ ବିଭାଗର ସଚିବ ଭାବେ ବଦଳି କରାଯାଇଛି । ସେ ଅତିରିକ୍ତ ଭାବେ ଓଡ଼ିଶା ଖଣି ନିଗମ, ଇଡକୋ ଓ ଓଏମଇସିଏଲ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ ।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ୨୦୦୮ ବ୍ୟାଚ୍ ଆଇଏଏସ୍ ଯାମିନୀ ଷଡ଼ଙ୍ଗୀଙ୍କୁ ବାଣିଜ୍ୟକର ଓ ଜିଏସଟି କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଆଇଏଏସ୍ ସଞ୍ଜୟ କୁମାର ସିଂଙ୍କଠୁ ବାଣିଜ୍ୟକର ଓ ଜିଏସଟି କମିଶନର ଦାୟିତ୍ୱ କାଢ଼ି ନିଆଯାଇଛି । ସେହିପରି ଭୁବନେଶ୍ୱରରେ ଚକବନ୍ଦୀ କମିଶନର ଭାବେ କାର୍ଯ୍ୟରତ ୨୦୦୮ ବ୍ୟାଚ୍ ଆଇଏଏସ୍ ବି ପରମେଶ୍ୱରନଙ୍କୁ କେନ୍ଦ୍ରାଂଚଳ ଆରଡିସି ଭାବେ ବଦଳି ହୋଇଛି ।
ସେହିପରି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଏନ୍ ଥିରୁମାଳା ନାଏକଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ) ଉପାଧ୍ୟକ୍ଷ ଭାବେ ବଦଳି କରାଯାଇଛି । ସେ ଭୁବନେଶ୍ୱର ସ୍ମାର୍ଟ ସିଟି ଓ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଆଇଏଏସ୍ ସମର୍ଥ ବର୍ମାଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ଶ୍ରୀ ବର୍ମା ଓଟିଡିସି ଏବଂ ଓଡ଼ିଶା ଫିଲ୍ମ ଡେଭଲପମେଂଟ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଆଇଏଏସ୍ ଅନ୍ୟାନ୍ୟ ଦାସଙ୍କୁ ଓଡିଶା ସ୍କୁଲଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ତାଙ୍କର ଏହି ପଦବୀକୁ ରାଜ୍ୟ ଆଇଏଏସ୍ କ୍ୟାଡ଼ରରେ ଯୁଗ୍ମ ସଚିବ ପାହ୍ୟାକୁ ଉନ୍ନୀତ କରାଯାଇଛି ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……