Report Card Odisha

| Daily Odia News

ଛୁଟିରେବି ସ୍କୁଲ ଆସିବେ ଶିକ୍ଷକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗ୍ରୀଷ୍ମ ଛୁଟି ହୋଇଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ଭାବେ ବିଦ୍ୟାଳୟକୁ ଆସିବେ। ମେ’ ୪ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ସମୟରେ ପହଞ୍ଚି କାର୍ଯ୍ୟ କରିବେ। ମାଧ୍ୟାହ୍ନ ଭୋଜନ ରୋଷେୟା ଓ ସହାୟିକାମାନେ ମଧ୍ୟ ଉପସ୍ଥିତ ରହିବେ। ନାମଲେଖା, ବିନିଯୋଗ ପ୍ରମାଣପତ୍ର(ୟୁସି), ଟାଇମ୍‌ଟେବୁଲ୍‌ ସମେତ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଥିବାରୁ କୌଣସି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଛୁଟି ଦିଆଯିବନାହିଁ। ଏହି ସମୟ ମଧ୍ୟରେ ମାଧ୍ୟାହ୍ନ ଭୋଜନର ମହଜୁଦ, ସ୍ବଚ୍ଛତା, ଗ୍ୟାସ୍‌, କିଚେନ୍‌ ସେଡ୍‌, ଶୌଚାଳୟ ଆଦି ସୁବିଧାର ତଦାରଖ କରିବେ। ମେ’ ୪ ପରେ ଶିକ୍ଷକ ଶିକ୍ଷୟିତ୍ରୀ ରୋଷ୍ଟର ଡ୍ୟୁଟି କରିବେ ବୋଲି ଗଣଶିକ୍ଷା ବିଭାଗ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ଛୁଟି ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ହେବାକୁ ଥିବା ‘ଅବସରକାଳୀନ ଗୃହକାର୍ଯ୍ୟ’ ସମ୍ପର୍କରେ ଏସ୍‌ଓପି ଜାରି ହୋଇଛି। ପ୍ରାଥମିକ ଶିକ୍ଷା‌ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୯ମ ଓ ଦଶମ ଛାତ୍ରଛାତ୍ରୀଙ୍କ ଲାଗି ଆସାଇନ୍‌ମେଣ୍ଟ ସିଟ୍‌ ପ୍ରସ୍ତୁତ କରାଯାଇ ଜିଲ୍ଲାସ୍ତରକୁ ପଠାଯାଇଛି। ଛୁଟି ସମୟରେ ପିଲାମାନେ ନୋଟ୍‌ ବୁକ୍‌ରେ ହୋମୱାର୍କ କରିବେ, ଯାହାକୁ ସ୍କୁଲ ଖୋଲିବା ପରେ ଶିକ୍ଷକମାନେ ମୂଲ୍ୟାୟନ କରିବେ। ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଲେଖାଏ ହେଲ୍ପଡେସ୍କ ସେଲ୍‌ ଓ ବାକି ଜିଲ୍ଲାଗୁଡ଼ିକରେ ଗୋଟିଏ ଲେଖାଏ ପ୍ରତିଷ୍ଠା ହେବ। ଗ୍ରୀଷ୍ମ ପ୍ରବାହ ଲାଗି ହେଲ୍ପଡେସ୍କରେ ଗୋଟିଏ ଏସି ଲଗାଯାଇପାରିବ। ପ୍ରତି ସପ୍ତାହର କାର୍ଯ୍ୟାବଳୀ ସମ୍ପର୍କରେ ଜିଲ୍ଲା ହେଲ୍ପଡେସ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ୪ଜଣ ଶିକ୍ଷକ ଦୁଇଟି ସିଫ୍ଟରେ ହେଲ୍ପଡେସ୍କରେ ଉପସ୍ଥିତ ରହିବେ। ଅନ୍ୟପକ୍ଷରେ ମାଧ୍ୟମିକ ଶିକ୍ଷକଙ୍କ ଛୁଟି କାଟ ଓ ଖରା ଛୁଟିରେ ରୋଷ୍ଟର ଡ୍ୟୁଟି ନୀତିକୁ ବିରୋଧ କରିଛି ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ।

Breaking News