Report Card Odisha

| Daily Odia News

ନିଯୁକ୍ତ ହେବେ ଅବସରପ୍ରାପ୍ତ ନର୍ସିଂ ଅଧିକାରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ବହୁ ସଂଖ୍ୟାରେ ନର୍ସିଂ ଷ୍ଟାଫ୍ ପଦବି ଖାଲି ପଡ଼ିଛି। ତେଣୁ ମେଡିକାଲ କଲେଜ ସମେତ ପିଜି ଇନଷ୍ଟିଚ୍ୟୁଟ୍‌ ଗୁଡ଼ିକରେ ଅବସରପ୍ରାପ୍ତ ନର୍ସିଂ ଷ୍ଟାଫଙ୍କୁ ନିଯୁକ୍ତି ଦେବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ତେଣୁ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଡିଏମ୍‌ଇଟିଙ୍କ ସମେତ ସବୁ ମେଡିକାଲ କଲେଜର ଅଧୀକ୍ଷକ, ଭିମ୍‌ସାର ନିର୍ଦେଶକ ଓ କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟ୍‌ର ଅଧୀକ୍ଷକଙ୍କୁ ପତ୍ର ଲେଖିଛନ୍ତି। ବିଭାଗ ପକ୍ଷରୁ କୁହାଯାଇଛି ଯେ ମେଡିକାଲ କଲେଜରେ ବ୍ୟାପକ ନର୍ସିଂ ଅଧିକାରୀ ପଦବି ଖାଲି ରହିଛି। ଏସ୍‌ସିବିରେ ୪୬୨, ଏମ୍‌କେଜସିଜିରେ ୨୫୩, ଭିମ୍‌ସାରରେ ୧୭୮, କୋରାପୁଟରେ ୧୩୩, ବାଲେଶ୍ବରରେ ୧୦୮, ବଲାଙ୍ଗୀର ୭୫, ପୁରୀ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ କେନ୍ଦୁଝରରେ ୩୨୧ ଲେଖାଏ, ସୁନ୍ଦରଗଡ଼ ୨୮୬, ବାରିପଦା ୧୫୧ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ୫୩କୁ ମିଶାଇ ସମୁଦାୟ ୩୩୦୪ଟି ନର୍ସିଂ ପଦବି ଖାଲି ରହିଛି। ତହିଁରୁ ୧୫ଶହ ପଦବିରେ ଅବସରପ୍ରାପ୍ତ ନର୍ସିଂ ଷ୍ଟାଫଙ୍କୁ ନିଯୁକ୍ତି ଦେବା ଲାଗି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ମୋଟ୍‌ ୪୫ ପ୍ରତିଶତ ପଦବିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ସ୍ଥାୟୀ ନିଯୁକ୍ତି ହେବା ପର୍ଯ୍ୟନ୍ତ ସେମାନେ ଏହି ପଦରେ କାର୍ଯ୍ୟ କରିବେ। ଏହି ପ୍ରକ୍ରିୟାକୁ ନିରୀକ୍ଷଣ କରିବା ଲାଗି ଡିଏମ୍‌ଇଟିଙ୍କୁ ଦାୟିତ୍ବ ଦିଆଯାଇଛି।

Breaking News