Report Card Odisha

| Daily Odia News

ବିସ୍ଥାପିତଙ୍କର ୧୦୦ ବର୍ଷର ସମସ୍ୟା ୧୦୦ ଦିନରେ ଅନ୍ତତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ପ୍ରଶାସନିକ ଇତିହାସରେ ଏକ ଯୁଗାନ୍ତକାରୀ ଦିବସ। ବିସ୍ଥାପିତ ଲୋକମାନଙ୍କର ୧୦୦ ବର୍ଷର ସମସ୍ୟାର ଗୁରୁବାର ଅନ୍ତ ହୋଇଛି। ୫-ଟି ରୂପାନ୍ତରଣ ପ୍ରକ୍ରିୟାରେ ମାତ୍ର ୧୦୦ ଦିନରେ ସେମାନଙ୍କର ବର୍ଷ ବର୍ଷର ସମସ୍ୟା ଦୂର ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଅଞ୍ଚଳର ବିସ୍ଥାପିତ ଲୋକମାନଙ୍କର ଦୀର୍ଘ ଦିନର ଜମିଜମା ସମସ୍ୟା ଦୂର କରି ସେମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି । ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ଲୋକମାନେ ବର୍ଷ ବର୍ଷ ଧରି ଜମି ସମସ୍ୟା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅଗଷ୍ଟ ୨୦ ତାରିଖରେ ୫-ଟି ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଗସ୍ତ ପରେ ସମାଧାନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିଲା । ଏମାନଙ୍କର ୧୮ଟି ରାଜସ୍ବ ଗ୍ରାମ ପାଇଁ ସର୍ଭେ ଆରମ୍ଭ ହୋଇଥିଲା। ଏଥିମଧ୍ୟରୁ ଆଜି ୭ଟି ଗାଁର ୮୬୬ଟି ପରିବାର ପାଇଁ ସର୍ଭେ ସଂପୂର୍ଣ୍ଣ କରାଯାଇ ଜମିପଟ୍ଟା ଦିଆଯାଇଛି। ବାକି ୧୧ଟି ଗାଁର ସର୍ଭେ ଚାଲିଛି । ଏହି ୧୧ଟି ଗାଁର ଖୁବଶୀଘ୍ର ୧୩୩୯ଟି ପରିବାର ଖୁବଶୀଘ୍ର ଜମିପଟ୍ଟା ପାଇବେ । ସେହିପରି ଗଞ୍ଜାମ ଜିଲ୍ଲା ସୋରଡା ତହସିଲର ୨୨ଟି ଗାଁର ଜମି ୧୯୮୩ ମସିହାରେ ଜଳସଂପଦ ବିଭାଗ ନାମରେ ରେକର୍ଡ ହୋଇଥିଲା। ଆଜି ୧୭ଟି ଗାଁର ଜମି ରାଜସ୍ବ ବିଭାଗକୁ ଯାଇଛି ଏବଂ ସେଗୁଡିକର ସେଟେଲମେଣ୍ଟ ଚାଲିଛି । ଏମାନଙ୍କ ମଧ୍ୟରୁ ୯୬୨ ଜଣଙ୍କୁ ଆଜି ଘରଡିହ ପଟ୍ଟା ଓ ୭୦୦ ଜଣଙ୍କୁ ଜମିପଟ୍ଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିଛନ୍ତି । ଅଗଷ୍ଟ ମାସ ୨୬ ଓ ୨୭ରେ ୫-ଟି ଅଧ୍ୟକ୍ଷଙ୍କ ଗସ୍ତ ପରେ ଏଠାରେ ସର୍ଭେ କାମ ତ୍ବରାନ୍ବିତ କରାଯାଇ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ଓ ହିତାଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଁ ସବୁବେଳେ ନିଷ୍ଠାପର ଉଦ୍ୟମ କରିଆସିଛି । ଆପଣମାନଙ୍କ ଖୁସି ହିଁ ମୋର ସବୁଠାରୁ ବଡ ସଫଳତା । ଜମିପଟ୍ଟା ପାଇବା ଦ୍ବାରା ଆପଣମାନେ ବିଭିନ୍ନ ସରକାରୀ କଲ୍ୟାଣ ଯୋଜନାରେ ସାମିଲ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ଦିଆଯାଇଥିଲା । ଖୁବଶୀଘ୍ର ଆଉ ୧୮ ହଜାର ହିତାଧିକାରୀ ଗ୍ରାମକଣ୍ଠ ପଟ୍ଟା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଲଖନପୁର ଓ ସୋରଡା ତହସିଲର ଲୋକ ମାନଙ୍କ ବହୁ ଦିନର ଜମିବାଡି ସମସ୍ୟା ଦୂର ହୋଇଥିବାରୁ ସେ ନିଜେ ବହୁତ ଖୁସି ଅନୁଭବ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ପାଇଁ ଆପଣମାନଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି। ସମସ୍ୟାର ସମାଧାନ ପ୍ରକ୍ରିୟା ଉପରେ ଆଲୋକପାତ କରି ସେ କହିଥିଲେ ଯେ ମୋ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଆପଣଙ୍କ ଅଞ୍ଚଳକୁ ଯାଇ ଆପଣମାନଙ୍କୁ ଭେଟି ଥିଲେ ଓ ଆପଣମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହାପରେ ସେ ମୋତେ ଆପଣମାନଙ୍କର ଏହି ସମସ୍ୟା ସଂପର୍କରେ ଅବଗତ କରାଇଥିଲେ। ସାଧାରଣ ଲୋକଙ୍କ ହିତ ମୋ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ଆପଣମାନଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ଖୁବଶୀଘ୍ର ଏହାର ସମାଧାନ ପାଇଁ ନିଷ୍ପତ୍ତି ନେଇଥିଲୁ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଅଗଷ୍ଟ ୨୦ ତାରିଖରେ ଝାରସୁଗୁଡା ଏବଂ ଅଗଷ୍ଟ ୨୬ ଓ ୨୭ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତ କରି ସ୍ଥାନୀୟ ଲୋକମାନଙ୍କ ବିଭିନ୍ନ ସମସ୍ୟା ସହିତ ବିସ୍ଥାପିତ ମାନଙ୍କ ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଏ ସଂପର୍କରେ ଆଲୋଚନା କରିବା ପରେ, ଏହିସବୁ ଜମି ଗୁଡିକର ତୁରନ୍ତ ସର୍ଭେ କରାଯାଇ ପଟ୍ଟା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

Breaking News