ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ନିର୍ମାଣ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିର୍ମାଣ କ୍ଷେତ୍ରରେ ସାମଗ୍ରୀର ଉଚିତ ମୂଲ୍ୟ ନିର୍ଦ୍ଧାରଣ ଓ ସାମଗ୍ରୀର ଗୁଣବତ୍ତା ଉପରେ ଗୁରୁତ୍ୱ ଦିଆଯାଇଥିବା ସୂଚନା ରହିଛି। ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟରେ ଲାଗୁ ହୋଇଥିବା ନିର୍ମାଣ ସାମଗ୍ରୀର ମୂଲ୍ୟକୁ ତର୍ଜମା କରି ରାଜ୍ୟରେ କିଭଳି ନିର୍ମାଣ ସାମଗ୍ରୀର ସର୍ବଶ୍ରେଷ୍ଠ ମୂଲ୍ୟ ନିର୍ଦ୍ଧାରଣ କରିହେବ ସେନେଇ ଆଲୋଚନା ହୋଇଥିଲା। ପରିବହନ ଖର୍ଚ୍ଚକୁ ହିସାବକୁ ନେଇ ବାଲି, ଗୋଡ଼ି, ଇଟାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଇନ୍ଡୋର ଏବଂ ଆଉଟ୍ଡୋର ସାମଗ୍ରୀ, ବୈଦ୍ୟୁତିକ ସାମଗ୍ରୀ, ପ୍ରି-ଫେବ୍ରିକେଟେଡ୍ ସାମଗ୍ରୀ, କୋଠାବାଡ଼ିରେ ବ୍ୟବହୃତ ସାମଗ୍ରୀର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ ନେଇ ଆଲୋଚନା ହୋଇଥିଲା। ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ନିର୍ମାଣ ସାମଗ୍ରୀର ଗୁରୁତ୍ୱ ଓ ଆବଶ୍ୟକତାକୁ ଉପଲବ୍ଧି କରି ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟା ଶୀଘ୍ର ସମାପ୍ତି ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି (ଡିଜାଇନ) ଇଂ ସମୀର ହୋତା, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରା, ଇଆଇସି (ରୋଡ୍ସ) ଇଂ ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ ଇଂ ପ୍ରିୟବ୍ରତ ସାମନ୍ତରାୟ ଏବଂ ଇଂ ଶିବବ୍ରତ ତରିଆ, ଅର୍ଥ ପରାମର୍ଶଦାତା ଶ୍ରୀ ରତୀକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।






More Stories
ଆଜିଠୁ ନୀଳାଚଳ ଅବଢ଼ା……
ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା:୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ…..
ମୁଖ୍ୟମନ୍ତ୍ରୀଙ୍କ ୧୯ତମ ଜନଅଭିଯୋଗ ଶୁଣାଣି ଶେଷ: ୯୬ ପ୍ରତିଶତ ଅଭିଯୋଗର ସମାଧାନ…..