Report Card Odisha

| Daily Odia News

ଶିକ୍ଷକ ନିଯୁକ୍ତି ପାଇପାରିବେ ବାଣିଜ୍ୟ ଓ ଜୀବବିଜ୍ଞାନ ସ୍ନାତକ ଡିଗ୍ରୀଧାରୀ…..

ରିପୋର୍ଟ କାର୍ଡ / କଟକ

ତାଲିମପ୍ରାପ୍ତ ବାଣିଜ୍ୟ ଓ ଜୀବବିଜ୍ଞାନରେ ସ୍ନାତକ ଡିଗ୍ରୀଧାରୀମାନେ ସରକାରୀ ହାଇସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ପାଇପାରିବେ। ଏ ସମ୍ପର୍କରେ ଆଗତ ଏକ ମାମଲାର ବିଚାର କରି ପୂର୍ବରୁ ହାଇକୋର୍ଟଙ୍କ ଜଣକିଆ ପୀଠ ଦେଇଥିବା ରାୟକୁ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ କାଏମ୍‌ ରଖିଛନ୍ତି। ଅନ୍ୟପକ୍ଷରେ ଜଣକିଆ ପୀଠଙ୍କ ରାୟକୁ ଚ୍ୟାଲେଞ୍ଜ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦାୟର ରିଟ୍‌ ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ପ୍ରକାଶ ଯେ, ଚୁକ୍ତିଭିତ୍ତକ ଟିଜିଟି(ଟ୍ରେନ୍‌ଡ ଗ୍ରାଜୁଏଟ୍‌ ଟିଚର) ପଦ ପୂରଣ ପାଇଁ ୨୦୨୧ ଅଗଷ୍ଟ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କଳା/ବାଣିଜ୍ୟ ବା ଶାସ୍ତ୍ରୀ ଡିଗ୍ରୀ ସହିତ ବିଏଡ୍‌ ପାସ୍‌ କରିଥିବା ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିପାରିବେ ବୋଲି ଉଲ୍ଲେଖ ଥିଲା। ପ୍ରାର୍ଥୀ ସ୍ନାତକରେ ଦୁଇଟି ସ୍କୁଲ ବିଷୟ ଯଥା- ଇଂଲିଶ, ଓଡ଼ିଆ, ସଂସ୍କୃତ, ଇତିହାସ, ଭୂଗୋଳ, ଅର୍ଥନୀତି, ରାଜନୀତି ବିଜ୍ଞାନ ଓ ଅନ୍ୟ ଚାରିଟି ବିଷୟ ରଖି ପାସ୍‌ କରିଥିବେ ବୋଲି ସର୍ତ୍ତ ରଖାଯାଇଥିଲା। ବାଣିଜ୍ୟ ଓ ଲାଇଫ୍‌ସାଇନ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରାଯାଇଥିଲା। ମାତ୍ର ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରି କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ଦେଇଥିବା ଆବେଦନକାରୀଙ୍କ ପ୍ରାର୍ଥିତ୍ୱ ପରବର୍ତ୍ତୀ ସମୟରେ ଖାରଜ କରାଯାଇଥିଲା। ନିଯୁକ୍ତିରୁ ବଞ୍ଚିତ ପ୍ରାର୍ଥୀଙ୍କ ଆବେଦନକୁ ବିଚାର କରି ୨୦୨୨ ମେ’ ୬ରେ ହାଇକୋର୍ଟର ଜଣିକିଆ ପୀଠ ସ୍ନାତକ ଓ ଲାଇଫ୍‌ସାଇନ୍ସ (ଜୀବ ବିଜ୍ଞାନ) ଡିଗ୍ରୀଧାରୀଙ୍କ ସପକ୍ଷରେ ରାୟ ଦେବା ସହ ଉକ୍ତ ଆବେଦନକାରୀଙ୍କ ପ୍ରାର୍ଥିତ୍ୱକୁ ବିଚାରକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଚାରପତି ତାଙ୍କ ରାୟରେ ଦର୍ଶାଇଥିଲେ ଯେ କମ୍ୟୁନିକେଟିଭ୍‌ ଇଂଲିଶ ଓ ଇଂଲିଶ ଉଭୟ ସମାନ ବିଷୟ। ସେହିଭଳି ଭାବେ ଇକୋନୋମିକ୍ସ ଓ ବିଜିନେସ୍‌ ଇକୋନୋମିକ୍ସ ମଧ୍ୟ ସମାନ। ଏଭଳି ସ୍ଥିତିରେ ଆବେଦନକାରୀଙ୍କୁ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍‌ ଦିଆଯିବା ତ୍ରୁଟିପୂର୍ଣ୍ଣ ବୋଲି ହାଇକୋର୍ଟ କହିଥିଲେ। ସେହିପରି ଲାଇଫ୍‌ସାଇନ୍ସ ମଧ୍ୟ ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ସହ ସମାନ ସ୍ଥଳେ ଉକ୍ତ ଯୋଗ୍ୟତା ଥିବା ଆବେଦନକାରୀଙ୍କୁ ପ୍ରାର୍ଥିତ୍ୱରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ। ଜଣିକିଆ ପୀଠର ଏହି ରାୟକୁ ଚାଲେଞ୍ଜ କରି ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ତେବେ ହାଇକୋର୍ଟ ବିଭାଗର ଏହି ଆବେଦନକୁ ଖାରଜ କରିଛନ୍ତି। ପ୍ରତିପକ୍ଷ ଜ୍ୟୋତିରଞ୍ଜନ ଜେନାଙ୍କ ପକ୍ଷରୁ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ମାମଲା ପରିଚାଳନା କରୁଥିଲେ।

Breaking News