Report Card Odisha

| Daily Odia News

ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ଅବସର ଗ୍ରହଣ…..

ରିପୋର୍ଟ କାର୍ଡ / କଟକ

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଅବସର ଗ୍ରହଣ କରିଛନ୍ତି। ସେ ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ୨୦୨୩ ଅଗଷ୍ଟ ୮ରେ ଶପଥ ଗ୍ରହଣ କରିଥିଲେ। ମଙ୍ଗଳବାର ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥିପାଇଁ ହାଇକୋର୍ଟରେ ଫୁଲ୍ କୋର୍ଟ ରେଫରେନ୍ସ ଅନୁଷ୍ଠିତ ହୋଇଥିଲା। ଫୁଲ୍ କୋର୍ଟ ରେଫରେନ୍ସରେ ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀଙ୍କ ସହିତ ହାଇକୋର୍ଟର ସମସ୍ତ ବିଚାରପତି ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧ ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ। ୨୦୧୧ ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କରିଥିଲେ। ୨୦୧୩ ସେପ୍ଟେମ୍ବର ୧୩ରେ ସେ ତ୍ରିପୁରା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୮ ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୨୨ ଜୁନରେ ତାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଥିଲା। ୨୦୨୨ ଜୁନ୍ ୧୦ରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଏହାପରେ ତାଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ଅନ୍ୟପଟେ ଅକ୍ଟୋବର ୪ରୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ ଦାୟିତ୍ବ ନିର୍ବାହ କରିବେ। ଏ ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ସେପ୍ଟେମ୍ବର ୨୯ରେ ବିଜ୍ଞପ୍ତି ପ୍ରକାଶ ପାଇଛି।

 

Breaking News