ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ଛି। ଭୁବନେଶ୍ୱର ଇନ୍ଫୋଭ୍ୟାଲିଠାରେ ସିକ୍ସେମ୍ ପ୍ରାଇଭେଟ୍ ଲିମିଟେଡ୍ର ଭୂମିପୂଜନ ସମାରୋହ ଶନିବାର ଅନୁଷ୍ଠିତ ହୋଇଛି। ସମୁଦାୟ ୨,୦୬୭ କୋଟି ଟଙ୍କାର ପୁଞ୍ଜିନିବେଶରେ ଏହି ମ୍ୟାନୁଫାକ୍ଚରିଂ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାଦ୍ୱାରା ପ୍ରାୟ ୧,୦୦୦ ପ୍ରଫେସନାଲଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡ଼ିଶାର ବିକାଶ ଯାତ୍ରା ଆହୁରି ମଜଭୁତ ହେଉଛି। ଏହି ମୁହୂର୍ତ୍ତ କେବଳ ଇଟା ଏବଂ ସିମେଣ୍ଟ ବିଷୟରେ ନୁହେଁ, ଏହା ଆକାଂକ୍ଷା, ସ୍ଥିରତା, ସହଯୋଗ ଏବଂ ଆତ୍ମନିର୍ଭରଶୀଳତାର ଉଦାହରଣ। ଏଥିରେ ଯେଉଁ ସେମିକଣ୍ଡକ୍ଟର ନିର୍ମିତ ହେବ ତାହା ମିଶାଇଲ, ଇଲେକ୍ଟ୍ରୋନିକ୍ ଗାଡ଼ି, ପ୍ରତିରକ୍ଷା ଉପକରଣ, ରେଲୱେ ଓ ସୌରଶକ୍ତି ଭଳି କ୍ଷେତ୍ରରେ ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଭୁବନେଶ୍ୱର ଆଇଆଇଟିରେ ମଧ୍ୟ ସିକ୍ସେମ୍ କମ୍ପାନୀ ୬୪ କୋଟି ଟଙ୍କା ବିନିଯୋଗରେ ଏକ ରିସର୍ଚ୍ଚ ଆଣ୍ଡ ଇନୋଭେଶନ ସେଣ୍ଟର ସ୍ଥାପନ କରିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ଏମ୍ପି ଫଣ୍ଡରୁ ୫ କୋଟି ଟଙ୍କା ବିନିଯୋଗ କରି ଆଇଆଇଟି ଭୁବନେଶ୍ୱରରେ ଏକ ‘ନମୋ ସେମିକଣ୍ଡକ୍ଟର ଲାବରେଟୋରି’ ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି। ଏହା ସ୍ଥାପନ ହେବା ଦ୍ୱାରା ଛାତ୍ରୀଛାତ୍ରମାନେ ସେମିକଣ୍ଡକ୍ଟର ସମ୍ପର୍କରେ ଅଧିକ ଗବେଷଣାର ସୁଯୋଗ ପାଇପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯାହା ପୂର୍ବରୁ ବର୍ଷ ବର୍ଷ ସମୟ ଲାଗି ଯାଉଥିଲା ତାହା ଏବେ ମାସକରେ ସମ୍ପୂର୍ଣ୍ଣ ହେଉଛି। ଏହା ହେଉଛି ନୂତନ ଭାରତର ଗତି ଏବଂ ଶକ୍ତି। ବେଙ୍ଗାଲୁରୁ ପରେ ବର୍ତ୍ତମାନ ଓଡ଼ିଶା ଭାରତର ନୂତନ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଜଧାନୀ ଭାବେ ଉଭା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ଭାରତ ଚିପ୍ରୁ ଶିପ୍ ପର୍ଯ୍ୟନ୍ତ ସମସ୍ତ ମିଶନରେ ଆଗକୁ ବଢ଼ୁଛି। ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭରଶୀଳତାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସେମିକଣ୍ଡକ୍ଟର ମିଶନ୍ର ସଫଳତାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ଦିଲ୍ଲୀରେ ମଧ୍ୟ ୨ଟି କମ୍ପାନୀ ଓଡ଼ିଶାରେ ସେମିକଣ୍ଡକ୍ଟର ୟୁନିଟ ପ୍ରତିଷ୍ଠା ପାଇଁ ଏମ୍ଓୟୁ କରିଥିଲେ। ଆଗାମୀ ଦିନରେ ଏହି ୨ କମ୍ପାନୀ ଓଡ଼ିଶାରେ ପ୍ରାୟ ୩,୦୦୦ କୋଟି ଟଙ୍କା ନିବେଶ କରିବେ। ସେମିକଣ୍ଡକ୍ଟର କ୍ଷେତ୍ରରେ ଦେଶରେ ଓଡିଶା ଏକ ହବ୍ ଭାବେ ପରିଗଣିତ ହେବ ବୋଲି ସେ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ଆଭାସି ମାଧ୍ୟମରେ ଯୋଗଦେଇ ରେଳମନ୍ତ୍ରୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ ସାକାର ହେଉଛି, ଓଡ଼ିଶା ପୂର୍ବୋଦୟର ଗେଟ୍-ୱେ ଭାବେ ବିକଶିତ ହେଉଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ଶିଳ୍ପ ଏବଂ ଶିକ୍ଷାକୁ ସମନ୍ବୟ କରି ବର୍ତ୍ତମାନ ଆଇଆଇଟି ଭୁବନେଶ୍ୱରରେ ‘ନମୋ ସେମିକଣ୍ଡକ୍ଟର ଲାବରେଟୋରି’ ସ୍ଥାପନ କରାଯିବ ବୋଲି ସେ ଘୋଷଣା କରିଥିଲେ। ବର୍ତ୍ତମାନ ଯୁବ ପିଢ଼ି ପାଇଁ ଏ କ୍ଷେତ୍ରରେ ଅଧିକ ଜ୍ଞାନ ଆହରଣ ଓ ଗବେଷଣା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହେବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଆଇଟି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ସେମିକଣ୍ଡକ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରୁଛି। ଓଡ଼ିଶା ଏହି ଗୁରୁଦାୟିତ୍ୱକୁ ବହନ କରି ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ବିକଶିତ ଭାରତର ସ୍ବପ୍ନକୁ ସାକାର କରୁଛି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଆଇ.ଆଇ.ଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ କର୍ମଲ୍କର୍, ଆର୍କେନ୍ କେମିକାଲ୍ ଇଣ୍ଡଷ୍ଟ୍ରିଜ୍ ମ୍ୟାନେଜିଂ ଡାଇରେକ୍ଟର ରଞ୍ଜିତ ପେଣ୍ଡୁର୍ଥୀ, ସିକ୍ସେମ୍ ପ୍ରାଇଭେଟ୍ ଲିମିଟେଡ୍ର ମ୍ୟାନେଜିଂ ଡାଇରେକ୍ଟର ଗୁରୁ ଥାଲ୍ଲାପାନେନୀ, କ୍ଲାସ୍-ସିକ୍ ୱାଫର୍ ଫ୍ୟାବ୍ ଲିମିଟେଡର ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର ମିସ୍ ଜେନିଫର୍ ୱାଲସ ପ୍ରମୁଖ ଉପସ୍ଥିତ ଥିଲେ।




More Stories
ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫……
ଶଙ୍କରକୁ ଭୁବନେଶ୍ଵର ଆଣିଲା କ୍ରାଇମବ୍ରାଞ୍ଚ……
୪ ଜିଲ୍ଲାରେ ସରକାରୀ ଛୁଟି ଘୋଷଣା…..