ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅନ୍ତର୍ଜାତୀୟସ୍ତରରେ ନିଶାଦ୍ରବ୍ୟ ଓ ଟଙ୍କା କାରବାରରେ ଓଡ଼ିଶା ଲିଙ୍କ୍ ସାମ୍ନାକୁ ଆସିଛି। ଗୋଆରୁ ଓଡ଼ିଶାକୁ ଲମ୍ବିଥିବା ନିଶା କାରବାର ଚେର ଖୋଜିବା ସହ ମନି ଲଣ୍ଡରିଂ ମାମଲାର ତଦନ୍ତରୁ ବଡ଼ଧରଣ ରାକେଟ୍ ସାମ୍ନାକୁ ଆସିଛି। ଓଡ଼ିଶା ସମେତ ୭ ରାଜ୍ୟର ୨୬ଟି ସ୍ଥାନରେ ଚଢ଼ଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି)। ଏହି ଧରପଗଡ଼ରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୩ କୋଟି ଟଙ୍କା, ବିପୁଳ ନିଶାଦ୍ରବ୍ୟ, ଅପରାଧିକ ନଥିପତ୍ର, ଡିଜିଟାଲ ଡିଭାଇସ୍ ଆଦି ଜବତ ହୋଇଛି। ନିଶା କାରବାରରେ ଜଡ଼ିତ ଥିବା ଅଭିଯୋଗରେ ଦିଲ୍ଲୀରୁ ଜଣେ ନିଶା ମାଫିଆକୁ ଗିରଫ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତିକୁ ୭ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି ତଦନ୍ତକାରୀ ଦଳ।ସଙ୍ଗଠିତ ଭାବେ ଆନ୍ତଃରାଜ୍ୟ ନିଶାଦ୍ରବ୍ୟ ଚାଲାଣର ସିଣ୍ଡିକେଟ୍ ଚାଲୁଥିଲା। ଓଡ଼ିଶା, ଗୋଆ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଓ କେରଳ ଭଳି ରାଜ୍ୟକୁ ଲମ୍ବିଛି ଏହି ନିଶାଦ୍ରବ୍ୟ କାରବାର ଚେର। ନାର୍କୋଟିକ କେଣ୍ଟ୍ରାଲ ବ୍ୟୁରୋ (ଏନ୍ସିବି) ଓ ସ୍ଥାନୀୟ ପୁଲିସ ସହାୟତାରେ ଇଡି ଚଢ଼ଉ କରିଥିଲା। ଜବତ କରାଯାଇଥିବା ଡିଜିଟାଲ୍ ଉପକରଣ ଓ ନଥିପତ୍ରରୁ ଅନେକ ସୁରାକ ମିଳିଛି। ବିଭିନ୍ନ ରାଜ୍ୟରେ କୋକେନ୍, ଏମ୍ଡ଼ିଏମ୍ଏ, ଏକ୍ସଟାସି ଭଳି ନିଶା ବଟିକା, ହାସିସ୍, ଖୁସ୍, ସୁପରକ୍ରିମ୍୍, ରାସୋଲ, କ୍ରିମ୍ ଭଳି ନିଶାଦ୍ରବ୍ୟ ଯୋଗାଣ କରାଯାଉଛି। କୋରିଅର୍ ଓ ପୋଷ୍ଟାଲ୍ରରେ ଏହି ନିଶାଦ୍ରବ୍ୟ ପରିବହନ କରାଯାଉଛି। ୟୁପିଆଇ, ବ୍ୟାଙ୍କ ସ୍ଥାନାନ୍ତର, କ୍ରିପ୍ଟୋକରେନ୍ସି ଓ ନଗଦ ଆକାରରେ ଟଙ୍କା କାରବାର ଚାଲୁଛି। ନିଶାଦ୍ରବ୍ୟରୁ ରୋଜଗାର କରାଯାଉଥିବା କଳାଧନକୁ ବିଭିନ୍ନ ପ୍ରକ୍ରିୟାରେ ଧଳା କରାଯାଉଛି। ନିଶାଦ୍ରବ୍ୟ ଚାଲାଣ ନେଟୱର୍କ ଓ ନିଶା ମାଫିଆଙ୍କ ଆର୍ଥିକ ଭିତ୍ତିଭୂମି ଭାଙ୍ଗିବାକୁ ଉଦ୍ୟମ କରୁଛି ତଦନ୍ତକାରୀ ସଂସ୍ଥା। ନିଶା କାରବାରରୁ ରୋଜଗାର କରିଥିବା ଆୟରୁ ଅର୍ଜିତ ସମ୍ପତ୍ତିକୁ ଚିହ୍ନଟ, ଠାବ ଓ ଆଟାଚ୍ କରିବାକୁ ଲକ୍ଷ୍ୟ ରଖାଯାଇଛି।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..