ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭା ଶୀତକାଳୀନ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ବହୁଗୁରୁତ୍ବ ପୂର୍ଣ୍ଣ ଦାବିକୁ ବିଧାନସଭାରେ ଆଲୋଚନା ହୋଇପାରିନାହିଁ | ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ଅଧିବେଶନ ଅଧପନ୍ତରିଆ ଭାବେ ବନ୍ଦ ହୋଇଯାଇଛି | ବିରୋଧୀ ବିଜେପି ବିଧାୟକମାନେ ଶ୍ରୀକ୍ଷେତ୍ର ଆସି ସରକାରଙ୍କ ସଦ୍ବୁଦ୍ଧି ଫେରାଇ ଆଣିବା ପାଇଁ ପ୍ରାର୍ଥୀନା କରିଛନ୍ତି। କହିଛନ୍ତି କି ମହାପ୍ରଭୁ ଏ ସରକାରକୁ ସଦବୁଦ୍ଧି ଦିଅନ୍ତୁ । ଆଜି ସିଂହଦ୍ୱାର ସମ୍ମୁଖରେ ଦୀପ ଜାଳି ମହାପ୍ରଭୁଙ୍କ ନିକଟରେ ଏପରି ଗୁହାରି କରିଛନ୍ତି ବିଜେପି ବିଧାୟକ ମାନେ । ମହାପ୍ରଭୁଙ୍କ ପାଖରେ ଶରଣ ପଶି ବିଧାୟକମାନେ କହିଛନ୍ତି- ରାଜ୍ୟରେ ନାରୀ ନିର୍ଯାତନା, ଲୁଣ୍ଠନ, ଅନ୍ୟାୟ, ଅତ୍ୟାଚାର ସହ ବ୍ୟାଭିଚାର ବଢ଼ି ଚାଲିଛି। ସନ୍ସାଇନ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଭଳି ସଙ୍ଗୀନ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ମିଳୁନି। ଶାସକ ଦଳ ଦୁର୍ଯ୍ୟୋଧନ ଓ ରାବଣ ଭଳି ଆଚରଣ କରୁଛି। ବିଧାନସଭାରେ ଏସବୁ ପ୍ରସଙ୍ଗ ଉଠାଇଲା ବେଳକୁ ବିରୋଧୀଙ୍କ ସ୍ୱର ଚାପି ଦିଆଯାଉଛି। ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ବିଧାନସଭା ଶୀତ ଅଧିବେଶନ ବନ୍ଦ କରି ଦିଆଗଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦୌ ଗୃହକୁ ଆସିଲେନି କି ବିରୋଧୀଙ୍କ ଦାବିକୁ ସମ୍ମାନ ଦେଲେନି। ମମିତା ମାମଲାରେ ସିବିଆଇ ତଦନ୍ତ କଥା ଆଦୌ ଉଠିଲା ନାହିଁ। ବିରୋଧୀଙ୍କୁ ପୁଲିସ ଗୋଡ଼େଇ ଗୋଡ଼େଇ ପିଟୁଛି। ବିଧାନସଭାରେ ଆମେ ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବାରୁ ଶେଷରେ ମହାପ୍ରଭୁଙ୍କ ଶରଣାପନ୍ନ ହୋଇ ଏ ରାଜ୍ୟକୁ ବଞ୍ଚାଇବା ଲାଗି ଗୁହାରି କରିଛୁ ବୋଲି ବିଜେପି ବିଧାୟକମାନେ କହିଛନ୍ତି। ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଗୃହକୁ ଆସିଲେ ନାହିଁ। ମମିତା ମେହେର ବିଷୟରେ ପଦୁଟିଏ କହିଲେ ନାହିଁ। ଅଭିଯୁକ୍ତକୁ ମଞ୍ଚରେ ବସାଇ ସଭା କଲେ। ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ୱେଦନଶୀଳତା ଉପରେ ଆଘାତ କଲେ। ହେ ପ୍ରଭୁ ଏ ସରକାରକୁ ସଦ୍ବୁଦ୍ଧି ଦିଅ।” ବୋଲି ବିଧାୟକ କହିଛନ୍ତି |






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ବିଜେଡିରୁ ଅରବିନ୍ଦ ନିଲମ୍ବନ:ଉତ୍ତର ରଖିଲେ ବାପା…..