ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓଡ଼ିଶାର ସାଂସଦ -ବିଧାୟକମାନଙ୍କ ନାମରେ ଥିବା ପ୍ରାୟ ୩୬୨ଟି ମାମଲା ଅଦାଲତରେ ପଡ଼ିରହିଛି | ଏନେଇ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର୍ ଜେନେରାଲ୍ ସୁପ୍ରିମ୍ କୋର୍ଟଙ୍କୁ ଅବଗତ କରାଇଛନ୍ତି। ଦାଖଲ କରିଥିବା ରିପୋର୍ଟରେ ସେ ଉଲ୍ଲେଖ କରିଛନ୍ତି ଯେ, ପଡ଼ିରହିଥିବା ମାମଲାଗୁଡ଼ିକ ମଧ୍ୟରୁ ପ୍ରାୟ ୧୭୮ଟି ମାମଲାରେ ବାଦୀ-ପ୍ରତିବାଦୀ ଅଦାଲତରେ ହାଜର ହେବା ଆବଶ୍ୟକ ହେଉଛି। ଜିଲ୍ଲାୱାରି ରିପୋର୍ଟ ଉପସ୍ଥାପନ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନଗୁଳ ‘ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଫାଷ୍ଟ୍ କ୍ଲାସ୍’ଙ୍କ (ଜେଏମ୍ଏଫ୍ସି) ପାଖରେ ପଡ଼ିରହିଥିବା ୩୧ଟି ମାମଲାରୁ ୧୬ଟି ମାମଲା ହାଜିରା ଆବଶ୍ୟକ କରୁଛି। ସେହିଭଳି ଭୁବନେଶ୍ବରର ‘ଥାର୍ଡ ଆଡିସ୍ନାଲ୍ ସେସନ୍ ଜଜ୍’ଙ୍କ ପାଖରେ ରହିଥିବା ୩୭ଟି ମାମଲାରୁ ୭ଟି ମାମଲା ହାଜିରା ଆବଶ୍ୟକ କରୁଥିବା ବେଳେ ୩ଟି ମାମଲା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ବର ‘ଜେଏମ୍ଏଫ୍ସି’ ସ୍ପେସାଲ୍ କୋର୍ଟରେ ପଡ଼ିରହିଥିବା ୨୦୦ ମାମଲାରୁ ପ୍ରାୟ ଅର୍ଦ୍ଧେକ ମାମଲା ବାଦୀ-ପ୍ରତିବାଦୀ ଅଦାଲତରେ ହାଜର ହେବା ଅବସ୍ଥାରେ ରହିଥିବା ବେଳେ ୩୧ଟି ମାମଲା ବିଚାର ଚାଲିବା ସ୍ଥିତିରେ ରହିଛି। ୨୦୨୧ ଜୁନ୍ ୭, ତାରିଖରେ ସ୍ବତନ୍ତ୍ର ବିଚାର ବିଭାଗୀୟ ଅଧିକାରୀ ନିଯୁକ୍ତ ହୋଇଥିଲେ ମଧ୍ୟ ଗୋଟିଏ ମାତ୍ର ମାମଲାର ଫଏସଲା ହୋଇନାହିଁ। ଆହୁରି ମଧ୍ୟ ସମ୍ବଲପୁର ‘ଜେଏମ୍ଏଫ୍ସ’ଙ୍କ ନିକଟରେ ୪୭ଟି ମାମଲା ପଡ଼ିରହିଛି ଏବଂ ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ମାମଲାରେ ବାଦୀ-ପ୍ରତିବାଦୀ ହାଜର ହେବା ଆବଶ୍ୟକ ପଡୁଛି। ସେଠାରେ ମଧ୍ୟ ୨୦୧୯ରେ ଜଣେ ବିଚାର ବିଭାଗୀୟ ଅଧିକାରୀ ନିଯୁକ୍ତ ହୋଇଥିଲେ କିନ୍ତୁ, ସେବେଠାରୁ ଗୋଟିଏ ହେଲେ ମାମଲାର ସମାଧାନ ହୋଇନାହିଁ। ସାଂସଦ ଓ ବିଧାୟକମାନଙ୍କ ନାମରେ ଥିବା ମାମଲାଗୁଡ଼ିକ ବିଚାର ତ୍ବରାନ୍ବିତ କରିବା ଲାଗି ‘ଆମିକସ୍ କ୍ୟୁରି’ ବିଜୟ ହଂସାରିଆ ସୁପ୍ରିମ୍ କୋର୍ଟଙ୍କୁ ପ୍ରସ୍ତାବ ଦେଇଛନ୍ତି। ସେ ଲେଖିଛନ୍ତି, ଦୀର୍ଘ ସମୟ ଧରି ପଡ଼ିରହିଥିବା ଏହି ମାମଲାଗୁଡ଼ିକ ଫଏସଲା ନ ହେବା ସଂକ୍ରାନ୍ତରେ ହାଇକୋର୍ଟ ସମ୍ପୃକ୍ତ ବିଚାର ବିଭାଗୀୟ ଅଧିକାରୀଙ୍କୁ କୈଫିୟତ୍ ମାଗି ପାରିବେ। ଏହାଛଡ଼ା, ହାଇକୋର୍ଟରେ ପଡ଼ି ରହିଥିବା ମାମଲାଗୁଡ଼ିକୁ ଦୁଇ ମାସ ମଧ୍ୟରେ ଫଏସଲା କରିବା ଲାଗି ହାଇକୋର୍ଟଙ୍କୁ ମଧ୍ୟ ଅନୁରୋଧ କରାଯାଇ ପାରେ। ସେ ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ ଅଛି, ହାଜର କିଂବା ସମନ୍ ଜାରି ହେବା ଅବସ୍ଥାରେ ଥିବା ମାମଲାଗୁଡ଼ିକ କ୍ଷେତ୍ରରେ ଅଭିଯୁକ୍ତଙ୍କୁ ହାଜର କରାଇବାକୁ ନ୍ୟାୟାଳୟ ନିର୍ଦେଶ ଦେଇ ପାରିବେ। ଯଦି ଅଭିଯୁକ୍ତ ଦୁଇ ସପ୍ତାହ ମଧ୍ୟରେ ସ୍ବତନ୍ତ୍ର ଅଦାଲତରେ ହାଜର ନ ହୁଅନ୍ତି, ଏବଂ ଯଦି ତାଙ୍କୁ ଜାମିନ ମଞ୍ଜୁର କରାଯାଇଥିବ, ତାହା ଆପଣାଛାଏଁ ରଦ୍ଦ ହୋଇଯିବ। ଫଳରେ ଅଭିଯୁକ୍ତଙ୍କୁ ହାଜତକୁ ନିଆଯାଇ ପାରିବ।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..