ରିପୋର୍ଟ କାର୍ଡ / ଭୁବନେଶ୍ବର
ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରିବା ପାଇଁ ରାଜ୍ୟ ସରକାର ସବୁ ଜିଲ୍ଲାରେ ପରିବା ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ବରରେ ଏହି ପରିବା ମଣ୍ଡି ପରୀକ୍ଷାମୂଳକ ଭାବେ ଖୋଲାଯିବ। ଏହି ମଣ୍ଡିରେ କଟକ ଓ ଭୁବନେଶ୍ବର ସନ୍ନିକଟ ଅଞ୍ଚଳର ଚାଷୀମାନେ ସେମାନଙ୍କ ଉତ୍ପାଦିତ ପରିବା ଆଣି ସିଧାସଳଖ ବ୍ୟବସାୟୀଙ୍କୁ ବିକ୍ରି କରିବେ। ଚାଷୀ ଯେପରି ବ୍ୟବସାୟୀଙ୍କ ଦ୍ବାରା ଶୋଷିତ ନ ହେବ, ସେଥିପାଇଁ ମଣ୍ଡିରେ ସବୁ ପରିବାର ମୂଲ୍ୟ ସୂଚୀ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶିତ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଲେ, ରାଜ୍ୟରେ ଉତ୍ପାଦିତ ପରିବା ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁନି। ପରିବା ପାଇଁ ଆମେ ପଡୋଶୀ ପଶ୍ଚିମବଙ୍ଗ, ଛତିଶଗଡ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ପରି ରାଜ୍ୟ ଉପରେ ନିର୍ଭର କରୁଛୁ। ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ପରିବାର ଉପଯୁକ୍ତ ମୂଲ୍ୟ ମିଳୁନି। ଯେଉଁଥିପାଇଁ ବହୁ ଚାଷୀ ଆଉ ପରିବା ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାଦ୍ବାରା ଦିନକୁ ଦିନ ରାଜ୍ୟରେ ପରିବା ଚାଷ କମି ଚାଲିଛି। ପରିବା ଉତ୍ପାଦନ କମ୍ ହେଉଥିବାବେଳେ ଆବଶ୍ୟକତା ବଢିବଢି ଚାଲିଛି। ଯେଉଁଥିପାଇଁ ବର୍ଷ ତମାମ ବିଭିନ୍ନ ପରିବା ଦର ଉଚ୍ଚା ରହୁଛି। ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି। ଧାନ ଚାଷୀଙ୍କୁ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଏମ୍ଏସ୍ପି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଖୁବଶୀଘ୍ର ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ। କେବଳ ଧାନ ଚାଷୀ ନୁହନ୍ତି, ସବୁ ଚାଷୀ ଯେପରି ଉପକୃତ ହେବେ, ସେ ଦିଗରେ ସରକାର ପ୍ରଚେଷ୍ଟା କରୁଛନ୍ତି। ରାଜ୍ୟକୁ ପରିବା ଚାଷରେ ସ୍ବାବଲମ୍ବୀ କରିବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପରିବା ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହିତ ସେମାନେ ଉତ୍ପାଦିତ ପରିବାର ଉପଯୁକ୍ତ ମୂଲ୍ୟ ଯେପରି ପାଇପାରିବେ ସେ ଦିଗରେ ପଦକ୍ଷେପ ନିଆଯିବ। ଏଥିପାଇଁ ସରକାର ପ୍ରତି ଜିଲାରେ ପରିବା ମଣ୍ଡି ଖୋଲିବେ। ଏହି ମଣ୍ଡିକୁ ଚାଷୀ ପରିବା ଆଣି ଆସିବେ। ପରିବାକୁ ସେ କୌଣସି ଦଲାଲ କିମ୍ବା ମଧ୍ୟସ୍ଥଙ୍କ ମାଧ୍ୟମରେ ବିକ୍ରି ନ କରି ସିଧାସଳଖ ବ୍ୟବସାୟୀଙ୍କୁ ବିକ୍ରି କରିବେ। ଏହାଦ୍ବାରା ଚାଷୀ ଶୋଷଣର ଶିକାର ହେବେନି ଏବଂ ଉତ୍ପାଦିତ ପରିବାର ଉପଯୁକ୍ତ ମୂଲ୍ୟ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଆମେ ପରିବା ବ୍ୟବସାୟୀଙ୍କ ସହିତ ଆଲୋଚନା କରିଛୁ। ସେମାନେ ମଣ୍ଡି ଖୋଲିବା ସପକ୍ଷରେ ମତ ଦେଇଛନ୍ତି। ମଣ୍ଡି ଦ୍ବାରା ଦଲାଲି କମିବ ଏବଂ ଚାଷୀ ତା ପରିବା ଠିକ୍ ମୂଲ୍ୟରେ ବିକି ପାରିବ ବୋଲି ବହୁ ବ୍ୟବସାୟୀ ମତ ଦେଇଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।






More Stories
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ:ପାସ୍ ହାର ୯୫.୩୩%….
ରାଜ୍ୟରେ ୭ ଯାଏଁ କାଳବୈଶାଖୀ…..
ଆଜି ମାଟ୍ରିକ ପରୀକ୍ଷା ଫଳ…..