ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ପରିସରରେ ମାଡ଼ ଘଟଣା ରାଜ୍ୟର ପ୍ରଶାସନିକ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି କରିଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଅଟଳ ଥିବା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସଂଘ ପକ୍ଷରୁ କାଯର୍ର୍ୟବନ୍ଦ ଆନ୍ଦୋଳନ ରାଜ୍ୟରେ ରହିଛି। ଓଏଏସ୍ ଅଧିକାରୀମାନେ ସମୂହ ଛୁଟିରେ ଚାଲିଯାଇଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ହୋଇପାରୁନାହିଁ। ଏଥିଯୋଗୁ ସାଧାରଣ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଛି। ଏନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।ଓଏଏସ୍ ସଂଘ ନିଷ୍ପତ୍ତି କ୍ରମେ ଅଫିସରମାନେ ବୁଧବାର ବିଧିବଦ୍ଧ ଭାବେ ସମୂହ ଛୁଟି ନେଇଛନ୍ତି। ଯେପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଗିରଫ ହୋଇନାହାନ୍ତିି ଏବଂ ସରକାରଙ୍କ ପକ୍ଷରୁ ଅଧିକାରୀଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତି ମିଳିନାହିଁ, ସେପର୍ଯ୍ୟନ୍ତ ଓଏଏସ୍ ଅଫିସରମାନେ ଛୁଟିରେ ରହିବେ ବୋଲି ସଂଘ ଚେତାବନୀ ଦେଇଛି। ଘଟଣାକୁ ନେଇ ମଙ୍ଗଳବାର ଦିନତମାମ୍ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବ୍ଲକ, ସବ୍ଡିଭିଜନ, ଜିଲାଠାରୁ ଆରମ୍ଭକରି ରାଜ୍ୟସ୍ତର ପର୍ଯ୍ୟନ୍ତ ଓଏଏସ୍ ଅଧିକାରୀମାନେ ବୈଠକ କରିିଥିବାବେଳେ ବୁଧବାର ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ଏପରି କି ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ବିଭିନ୍ନ ବିଭାଗରେ ମଧ୍ୟ ଓଏଏସ୍ ଅଧିକାରୀଙ୍କୁ ଦେଖିବାକୁ ମିଳି ନ ଥିଲା। ଏଥିଯୋଗୁ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଯଦି ସରକାର ସଂଘର ପ୍ରତିଶ୍ରୁତି ରକ୍ଷା କରିବାରେ ବିଳମ୍ବ କରିବେ ତେବେ ସ୍ଥିତି ଜଟିଳ ହେବ ବୋଲି ଅଧିକାରୀମାନେ କହୁଛନ୍ତି। ମଙ୍ଗଳବାର ଜିଲାସ୍ତରରେ ଓଏଏସ୍ ସଂଘ ଜିଲାପାଳ ଏବଂ ଆର୍ଡିସିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିବାବେଳେ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ଓଏଏସ୍ ସଂଘ ପକ୍ଷରୁ ୩ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଓଏଏସ୍ ସଂଘର ସଭାପତି ଜ୍ୟୋତିରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ବିଜୟ କୁମାର ସ୍ବାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ, ବିଏମ୍ସି ଅତିରିକ୍ତ ଆୟୁକ୍ତ ସାହୁଙ୍କ ଉପରେ ଯେଭଳି ଅମାନୁଷିକ ଆକ୍ରମଣ ହେଲା, ତାହା ଅତ୍ୟନ୍ତ ନିନ୍ଦନୀୟ। ଦିନ ଦ୍ୱିପ୍ରହରରେ ଜଣେ କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଆକ୍ରମଣ କେବଳ ଯେ ଜଣେ ଅଧିକାରୀଙ୍କୁ ମାଡ଼ ବୋଲି କୁହାଯିବ ତାହା ନୁହେଁ, ଏହାଦ୍ୱାରା ତାଙ୍କ ସମ୍ମାନରେ ମଧ୍ୟ ଆଞ୍ଚ୍ ଆସିଛି। ଏହି ଘଟଣାକୁ ନେଇ ଅଧିକାରୀଙ୍କ ମାନସିକତା ଉପରେ ଗଭୀର ଆଘାତ ଲାଗିଛି। ଯଦି ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରା ନ ଯିବ ତେବେ ପରବର୍ତ୍ତୀ ସମୟରେ ଅଧିକାରୀମାନେ କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ସମ୍ପାଦନମ୍ବେଳେ ବହୁ ସମସ୍ୟାର ସମ୍ମୁଖୀନ ହେବେ। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ସମସ୍ତ କ୍ଷେତ୍ର ଅଧିକାରୀଙ୍କୁ କାର୍ଯ୍ୟସ୍ଥଳରେ ସୁରକ୍ଷା ଯୋଗାଇ ଦିଆଯାଉ। ସରକାରଙ୍କ ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯିବା ସହିତ ସରକାରୀ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..