ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବାର ୬ ବର୍ଷ ପରେ ଜମ୍ମୁ-କଶ୍ମୀରକୁ ମିଳିଲା ପ୍ରଥମ ମୁଖ୍ୟମନ୍ତ୍ରୀ। ନ୍ୟାସନାଲ କନଫରେନ୍ସ (ଏନସି) ବିଧାୟକ ଓମାର ଅବଦୁଲ୍ଲା ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ସୁରିନ୍ଦର ସିଂହ ଚୌଧୁରୀ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ଶ୍ରୀନଗରର ଶେର-ଇ-କଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (SKICC)ରେ ଶପଥ ଗ୍ରହଣ ସମାରୋହର ଆୟୋଜନ କରାଯାଇଥିଲା। ଉପରାଜ୍ୟପାଳ ମନୋଜ ସିହ୍ନା ଓମାର ଅବଦୁଲ୍ଲାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଓମାର ଅବଦୁଲ୍ଲାଙ୍କ ସମେତ ପାଞ୍ଚ ଜଣ ବିଧାୟକ ମଧ୍ୟ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ସ୍ୱାଧୀନ ବିଧାୟକ ସତୀଶ ଶର୍ମା ଏବଂ ଅନ୍ୟ ଚାରି ଜଣ ନ୍ୟାସନାଲ କନଫରେନ୍ସର ସାକିନୋ ଇତୋ,ଜାଭିଦ ଦାର୍, ସୁରିନ୍ଦର ସିଂହ ଚୌଧୁରୀ ଏବଂ ଜାଭିଦ ରାଣା ଶପଥ ନେଇଛନ୍ତି। କିନ୍ତୁ କଂଗ୍ରେସ ଏନସି ସହ ମେଣ୍ଟ ଭାବେ ସରକାର ଗଠନ କରିଥିଲେ ମଧ୍ୟ ଦଳର କୌଣସି ବିଧାୟକ ଶପଥ ନେଇନାହାନ୍ତି। ଏହି ସମାରୋହରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସମେତ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧି, ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଭାବରେ ଏହା ଓମାର ଅବଦୁଲ୍ଲାଙ୍କ ଦ୍ୱିତୀୟ ଶପଥ ଗ୍ରହଣ। କିନ୍ତୁ ରାଜ୍ୟକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ମିଳିବା ପରେ ସେ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ । ୨୦୧୯ ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲା। ଏହାପରେ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପରିଗଣିତ ହୋଇଥିଲା। ଓମାର ଅବଦୁଲ୍ଲା ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହି ସମୟରେ ନ୍ୟାସନାଲ କନଫରେନ୍ସ ଏବଂ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଥିଲେ। ଚଳିତ ନିର୍ବାଚନରେ ମଧ୍ୟ ଦୁଇ ଦଳ ଏକାଠି ଲଢିଥିଲେ ଏବଂ ମିଳିତ ଭାବେ ସରକାର ଗଠନ କରିଛନ୍ତି। କିନ୍ତୁ କଂଗ୍ରେସ ପକ୍ଷରୁ କୌଣସି ଜଣେ ହେଲେ ବିଧାୟକ ପ୍ରାଥମିକ ପର୍ଯ୍ୟାୟରେ ଶପଥ ନେଇନାହାନ୍ତି।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……