ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖୁବ୍ଶୀଘ୍ର ଓମ୍ଫେଡ୍ ବିକିବ ଆଇସ୍କ୍ରିମ୍ ଓ ପାଣି। ଏଭଳି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ବଜାରକୁ ଓମଫେଡ୍ ପାଣି ବୋତଲ ଛାଡ଼ିବା ସହ ବିଭିନ୍ନ ଫ୍ଲେଭର୍ର ଆଇସକ୍ରିମ୍ ମଧ୍ୟ ଉପଲବ୍ଧ କରିବ। ଓମ୍ଫେଡ୍ ନୂଆ ସାମଗ୍ରୀ ବଜାରକୁ ଆଣିବା ନେଇ ବୋର୍ଡ ସହ ଆଲୋଚନା ଚାଲିଛି। ବୋର୍ଡର ଅନୁମୋଦନ ମିଳିବା ପରେ ଏହା କାର୍ଯ୍ୟକାରୀ ହେବ। ଅନ୍ୟପକ୍ଷରେ ରାଜ୍ୟରେ କ୍ଷୀର, ଛେନା ଓ ପନିରରେ ଅପମିଶ୍ରଣ ଅଭିଯୋଗ ଆସୁଥିବା ବେଳେ ଓମ୍ଫେଡ୍ କ୍ଷୀରର ଗୁଣବତ୍ତା ନେଇ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଓମ୍ଫେଡ୍ କ୍ଷୀରର ଗୁଣବତ୍ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଓମ୍ଫେଡ୍ କ୍ଷୀରର ତ୍ରିସ୍ତରୀୟ ଯାଞ୍ଚ କରାଯାଏ। ଏଥିରେ ଫ୍ୟାଟ୍ (ମୋଟା) ଯାଞ୍ଚ କରାଯିବା ସହ ଅନ୍ୟାନ୍ୟ ଗୁଣବତ୍ତା ପରୀକ୍ଷା ହୋଇଥାଏ। ଓମ୍ଫେଡ୍ କ୍ଷୀରରେ ଅପମିଶ୍ରଣ ହେଉନାହିଁ। ଯଦି ଆଗକୁ କୌଣସି ପ୍ରକାର ଅପମିଶ୍ରଣ ଧରାପଡ଼େ, ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେହିପରି ଓମ୍ଫେଡ୍ ଦୁଗ୍ଧ ଚାଷୀଙ୍କ ପାଖରୁ କ୍ରୟ କରୁଥିବା କ୍ଷୀର ଦରରେ ୨ଟଙ୍କା ବୃଦ୍ଧି ହୋଇଛି। ଏହାଦ୍ୱାରା ଦୁଗ୍ଧ ଉତ୍ପାଦନକାରୀ କୃଷକମାନେ ଅଧିକ ଲାଭବାନ ହେବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସେ କହିଛନ୍ତି। ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଅଧ୍ୟକ୍ଷ ରବି ବେହେରା କହିଛନ୍ତି, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ କର୍ଣ୍ଣାଟକ ଭଳି ରାଜ୍ୟରେ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ କ୍ଷୀର ପାଉଡର୍ ଓ ପନିର ଦିଆଯାଉଛି। ଅନୁରୂପ ଭାବେ ରାଜ୍ୟରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବି ମଧ୍ୟାହ୍ନ ଭୋଜନରେ ଏହା ଦିଆଯାଉ। ସେହିପରି, ପୂର୍ବତଟ ରେଳପଥର ବିଭିନ୍ନ ଟ୍ରେନ୍ରେ ଓ ସବୁ ସରକାରୀ ହସ୍ପିଟାଲରେ ଓମ୍ଫେଡ୍ କ୍ଷୀର, ପନିର, ଛେନା ଦିଆଯାଉ। ଏହାଦ୍ବାରା ଦୁଗ୍ଧଚାଷୀ ଅଧିକ ଲାଭ ପାଇବେ ବୋଲି ସେ କହିଛନ୍ତି।






More Stories
ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବଡ଼ ବାତ୍ୟା…..
ଆଜି ନୂଆଁଖାଇ;ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ…..
ଫେରିବ ମୌସୁମି…..