Report Card Odisha

| Daily Odia News

ଆଜି ବିରୋଧୀଙ୍କ ମହାମେଳି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବାକୁ ବିରୋଧୀ ଦଳଗୁଡ଼ିକୁ ଏକଜୁଟ ହେବା ବୈଠକର ମୂଳ ଉଦ୍ଦେଶ୍ୟ। ଅନ୍ୟପଟେ ଏହା ଶାସକ ବିଜେପି ନେତୃତ୍ବ ଏନ୍‌ଡିଏ ପାଇଁ ବଡ ଆହ୍ବାନ ହୋଇଛି। ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଏକାଠି ହେବା ଦେଶର ରାଜନୀତି ପାଇଁ ଶୁଭ ସଙ୍କେତ ବୋଲି ତୃଣମୂଳ କଂଗ୍ରେସ ତରଫରୁ ଦର୍ଶାଯାଇଛି। ବିଜେପିର ଅଗଣତାନ୍ତ୍ରିକ ଓ ଏକଛତ୍ରବାଦ ରାଜନୀତି ପ୍ରତିବାଦରେ ବିରୋଧୀ ଦଳମାନେ ଏକତ୍ର ହେବା ସମୟର ଆହ୍ବାନ ବୋଲି ଟିଏମ୍‌ସି କହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦ୍ବାରା ଆହୂତ ଏହି ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏମ୍‌.କେ ଷ୍ଟାଲିନ, ଏନ୍‌ସିପି ସଭାପତି ଶରଦ ପୱାର, ମେହବୁବା ମୁଫତି, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖ ବିରୋଧୀ ଦଳ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଟିଏମ୍‌ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏହି ବୈଠକରେ ଯୋଗ ଦେବେ। ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଅାଲୋଚନା କାଳରେ ଟିଏମ୍‌ସିର ବରିଷ୍ଠ ନେତା ଡେରିକ୍‌ ଓ’ ବ୍ରାଏନ୍‌ କହିଥିଲେ ଦେଶର ସମ୍ବିଧାନକୁ ରକ୍ଷା କରିବା ସହ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଜେପି ବିରୋଧୀ ନେତା ବୈଠକରେ ମିଳିତ ହେବା ଭାରତର ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି। ବିରୋଧୀ ଦଳ ନେତାଙ୍କ ଏହା ପ୍ରାରମ୍ଭିକ ବୈଠକ ହୋଇଥିବା ବେଳେ ଆଗାମୀଦିନରେ ପୁନର୍ବାର ସେମାନେ ବୈଠକରେ ମିଳିତ ହେବେ। ତେଣୁ ବର୍ତ୍ତମାନ ଠାରୁ ବୈଠକକୁ ନେଇ କୌଣସି ଭବିଷ୍ୟବାଣୀ କରିବା କାହା ପକ୍ଷରେ ଉଚିତ୍‌ ହେବ ନାହିଁ। ଅନ୍ୟପକ୍ଷରେ ଅନ୍ୟ ଏକ ଘଟଣାକ୍ରମରେ କେନ୍ଦ୍ର ସରକାରଙ୍କ ତରଫରୁ ଜାରି ଅଧ୍ୟାଦେଶ ବିରୋଧରେ କଂଗ୍ରେସ ଦିଲ୍ଲୀ ସରକାରଙ୍କୁ ସମର୍ଥନ ନ କଲେ ଶୁକ୍ରବାର ବୈଠକରୁ ଓହରି ଯିବ ବୋଲି ଆମ୍‌ ଆଦମୀ ପାର୍ଟି (ଆପ୍‌) ତରଫରୁ ଚେତାବନୀ ଦିଆଯାଇଛି।

Breaking News