ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେପି ବିରୋଧରେ ମହାଗଠବନ୍ଧନ ତିଆରି କରିବାକୁ ବିରୋଧୀ ଆରମ୍ଭ କରିଥିବା ଯୋଜନାରେ ୧୭ ଟି ବିରୋଧୀ ଦଳର ଏକାଠି ହୋଇ ଏକତାର ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ବିରୋଧୀଙ୍କ ମହାଗଠବନ୍ଧନ ଆରମ୍ଭରୁ ଏକତା ଭିତରେ ଫାଟ ଦେଖା ଦେଇଛି | ବୈଠକରେ ଯୋଗ ଦେଇଥିବା ଆପ୍ ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିଛି। ସର୍ତ୍ତ ରଖି ବିରୋଧୀଙ୍କ ବୈଠକରେ ସାମିଲ ହୋଇଥିବା ଆପ୍ ଏବେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଆଗକୁ କଂଗ୍ରେସକୁ ନେଇ ବିରୋଧୀ ବୈଠକ କଳେ ଆପ୍ ଏଥିରେ ସାମିଲ ହେବ ନାହିଁ। ଯଦି କଂଗ୍ରେସ କେନ୍ଦ୍ର ସରକାର ଦିଲ୍ଲୀ ପାଇଁ ଆଣିଥିବା ଅଧ୍ୟାଦେଶକୁ ଖୋଲାଖୋଲି ବିରୋଧ ନ କରିବ, ତା’ହେଲେ ଆପ୍ ବିରୋଧୀଙ୍କ ପରବର୍ତ୍ତୀ ବୈଠକକୁ ବୟକଟ କରିବ ବୋଲି ଦଳ କହିଛି। ଦିଲ୍ଲୀ ପ୍ରଶାସନିକ ସେବା ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରିଛନ୍ତି। ଏହାକୁ କ୍ଷମତାସୀନ ଆପ୍ ସରକାର ବିରୋଧ କରୁଛି। ସଂସଦରେ ଏହାକୁ ଆଇନରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ବିଲ୍ ଆଣିବେ। କିନ୍ତୁ ସେଠାରେ ଏହାକୁ ମାତ୍ ଦେବା ପାଇଁ ଆପ୍ ସବୁ ବିରୋଧୀଙ୍କ ସମର୍ଥନ ଲୋଡ଼ିଛି। କଂଗ୍ରେସକୁ ବାଦ ଦେଇ ଅଧିକାଂଶ ବିରୋଧୀ ଦଳ ଆପ୍କୁ ସମର୍ଥନ କରିଛନ୍ତି। ହେଲେ କଂଗ୍ରେସର ବିନା ସହଯୋଗରେ ବିଲ୍କୁ ରୋକିବା ସମ୍ଭବ ନୁହେଁ ବୋଲି ଆପ୍ ଭଲ ଭାବେ ଜାଣିଛି। ତେଣୁ ଦଳ କଂଗ୍ରେସ ଉପରେ ଚାପ ପକାଇବା ଆରମ୍ଭ କରିଛି। ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେ କହିଥିଲେ, ଶିମ୍ଲା ବୈଠକରେ ଏକ ସାଧାରଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ। ଆଗକୁ କିପରି ବଢ଼ିହେବ ସେନେଇ ନିଷ୍ପତ୍ତି ନିଆଯିବ। ପ୍ରତ୍ୟେକ ରାଜ୍ୟ ପାଇଁ ପୃଥକ୍ ଯୋଜନା କରିବାକୁ ପଡ଼ିବ। ଆମେ ମିଳିତ ଭାବେ କାର୍ଯ୍ୟ କରିବୁ ଏବଂ ଭାଜପାକୁ କେନ୍ଦ୍ରରୁ ହଟାଇଦେବୁ। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ଆମ ଭିତରେ କେତେକ ମତଭେଦ ଥାଇପାରେ। କିନ୍ତୁ ଆମେ ନମନୀୟ ହୋଇ ଏକାଠି ଲଢ଼ିବୁ ଏବଂ ନିଜ ବିଚାରଧାରାକୁ ସୁରକ୍ଷା ଦେବୁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି) ସୁପ୍ରିମୋ ମମତା ବାନାର୍ଜୀ କହିଥିଲେ, ପାଟନାରୁ ଆରମ୍ଭ ହୋଇଥିବା ପ୍ରଥମ ବୈଠକ ଜନ ଆନ୍ଦୋଳନର ରୂପ ନେବ। କେନ୍ଦ୍ରରେ ଏକଚ୍ଛତ୍ରବାଦୀ ଏନ୍ଡିଏ ସରକାର କ୍ଷମତାକୁ ଫେରିଲେ ଭବିଷ୍ୟତରେ ଆଉ ନିର୍ବାଚନ ହେବ ନାହିଁ। ଆମେ ସମସ୍ତେ ଏକ ହୋଇଛୁ ଏବଂ ଭାଜପା ବିରୋଧରେ ମିଳିତ ଭାବେ ଲଢ଼େଇ କରିବୁ। ଭାଜପା ଇତିହାସ ବଦଳାଇବାକୁ ଚାହୁଁଛି, କିନ୍ତୁ ଆମେ ଇତିହାସର ସୁରକ୍ଷା ସୁନିଶ୍ଚିତ କରିବୁ।

ସେହିପରି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ମୁଖ୍ୟ ଶରଦ ପାଓ୍ବାର କହିଥିଲେ, ଜୟପ୍ରକାଶ ନାରାୟଣ ଆନ୍ଦୋଳନ ଭଳି ବିରୋଧୀ ସାମ୍ମୁଖ୍ୟ ଜନସାଧାରଣଙ୍କ ଆଶୀର୍ବାଦ ପାଇବ। ଦେଶକୁ ବଞ୍ଚାଇବାକୁ ହେଲେ ମିଳିତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ଏହା ହେଉଛି ପାଟନା ବୈଠକର ସ୍ପଷ୍ଟ ସନ୍ଦେଶ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍ଏମ୍) ନେତା ହେମନ୍ତ ସୋରେନଙ୍କ ମତରେ ଏହି ଆରମ୍ଭ ଦେଶ ପାଇଁ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ଏବଂ ସବୁ ନେତା ସକାରାମତ୍କ ଚିନ୍ତା ନେଇ ଆଗକୁ ବଢ଼ିବେ। ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କହିଥିଲେ, ବିରୋଧୀ ମିଳିତ ଭାବେ ଭାଜପା ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ବିରୋଧରେ ଲଢ଼େଇ କରନ୍ତୁ ବୋଲି ଦେଶବାସୀ ଚାହୁଁଛନ୍ତି। ଭାରତ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ଚନ୍ଦନକାଠ ବାଣ୍ଟୁଛନ୍ତି। ମୁଁ ଏବେ ସୁସ୍ଥ ଅଛି ଏବଂ ତାଙ୍କୁ ମୁକାବିଲା କରିପାରିବି। ଏହି ଅବସରରେ ଲାଲୁ ରାହୁଲଙ୍କୁ ମଜାରେ କହିଥିଲେ, ବିଳମ୍ବ ହୋଇନାହିଁ। ଏବେ ବି ସମୟ ଅଛି, ବାହା ହୋଇଯାଆନ୍ତୁ। ରାହୁଲ ଉତ୍ତର ରଖିଥିଲେ, ଆପଣ କହିଲେଣି ମାନେ ବିବାହ କରିବି। ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ଉପାଧ୍ୟକ୍ଷ ଓମାର ଅବ୍ଦୁଲ୍ଲା କହିଥିଲେ, କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୧୭ ଦଳ ‘କ୍ଷମତା ପାଇଁ ନୁହେଁ, ବରଂ ସିଦ୍ଧାନ୍ତକୁ ନେଇ’ ଏକାଠି ହୋଇଛୁ। ମାର୍କ୍ସବାଦୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ୍) ନେତା ସୀତାରାମ ୟେଚୁରୀ ଭାଜପାର ୯ ବର୍ଷ ଶାସନ ଦେଶ ଓ ସମ୍ବିଧାନ ପାଇଁ ବିପର୍ଯ୍ୟୟ ସୃଷ୍ଟିକାରୀ ହୋଇଥିବା ଅଭିଯୋଗ ଆଣିଥିଲେ। ଆମେ ଗାନ୍ଧିଜୀଙ୍କ ଭାରତକୁ ଗୋଡ୍ସେଙ୍କ ଦେଶରେ ପରିଣତ ହେବାକୁ ଦେବୁନାହିଁ ବୋଲି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ଡ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫ୍ତି ପ୍ରକାଶ କରିଥିଲେ। ବୈଠକରେ ଦ୍ରାବିଡ ମୁନେତ୍ରା କାଝାଗାମ (ଡିଏମ୍କେ) ଅଧ୍ୟକ୍ଷ ଏମ୍.କେ. ଷ୍ଟାଲିନ୍, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା-ୟୁଟିବି ମୁଖ୍ୟ ଉଦ୍ଧବ ଠାକ୍ରେ, ତାଙ୍କ ପୁଅ ଆଦିତ୍ୟ ଠାକ୍ରେ, ପଞ୍ଜାବ ମୁଖ୍ୟମନ୍ତ୍ରୀ (ଏଏପି ନେତା) ଭଗଓ୍ବନ୍ତ ମାନ୍, ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ୍) ନେତା ଡି. ରାଜା ଏବଂ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସ୍ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଯୋଗଦେଇଥିଲେ। ଅନ୍ୟପକ୍ଷେ ୨ ଦିନିଆ ଜମ୍ମୁ ଗସ୍ତରେ ଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା କହିଛନ୍ତି, ପାଟନାରେ ଆଜି ଏକ ଫଟୋ ସେସନ୍ ଚାଲିଛି। ଯେତେ ଦଳ ଏକତ୍ରିତ ହେଲେ ମଧ୍ୟ ସେମାନେ କେବେହେଲେ ଏକାଠି ହୋଇପାରିବେ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ୨୦୨୪ରେ ୩୦୦ରୁ ଊର୍ଦ୍ଧ୍ୱ ଆସନ ଦଖଲ କରି ପୁଣି ସରକାର ଗଢ଼ିବେ ଏବଂ ପୁନର୍ବାର ପ୍ରଧାନମନ୍ତ୍ରୀ ହେବେ। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀରେ ବିରୋଧୀ ମହାମେଳିକୁ ‘ଅନେକ ମୁଣ୍ଡିଆଳ ଥିବା ସ୍ବାର୍ଥପର ମେଣ୍ଟ’ ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି, ଏହି ଦଳଗୁଡ଼ିକ ଯେତେବେଳେ ବି ଏକାଠି ହୁଅନ୍ତି ସେମାନେ ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣରେ ମାତି ଦେଶର ଅର୍ଥନୀତିକୁ ସଙ୍କୁଚିତ କରିଦିଅନ୍ତି। ଏଏପି ଆରମ୍ଭରୁ ବ୍ଲାକ୍ମେଲିଂ କରିବାରେ ଲାଗିଛି। ଏଥିରୁ ଏହି ଅପବିତ୍ର ମେଣ୍ଟର ଭବିଷ୍ୟତ ଜଳଜଳ ଦେଖାଯାଉଛି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……