Report Card Odisha

| Daily Odia News

୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପଶ୍ଚିମ ଝଡ଼ ସହ କାଳବୈଶାଖୀର ପ୍ରଭାବ ଲାଗି ରହିବ। ଆଜି କଳାହାଣ୍ଡି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଞ୍ଜାମ, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଓ କୁଆପଥର ବର୍ଷା ସହ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ଝଡ଼-ପବନ ହୋଇପାରେ। ତେଣୁ ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ଉପରେ ମଧ୍ୟ କାଳବୈଶାଖୀ ପ୍ରଭାବ ପଡ଼ିବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏଥିସହ ଜନସାଧାରଣ ସ୍ଥାନୀୟ ପାଣିପାଗ ଉପରେ ନଜର ରଖିବା ବିଜୁଳି ଘଡ଼ଘଡ଼ି ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ବର୍ଷା ପବନ ପ୍ରଭାବରେ ଅମଳକ୍ଷମ ରବି ଫସଲ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଚାଷୀମାନେ ଫସଲ ଅମଳ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆକଳନ ଅନୁଯାୟୀ ସୋମବାର ସକାଳଠାରୁ ମଙ୍ଗଳବାର ସକାଳ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳ ବର୍ଷା(୭ରୁ ୧୧ ସେମି) ଏବଂ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ଝଡ଼ ପବନ ହୋଇପାରେ। କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ଏବଂ ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏପ୍ରିଲ ୨୫, ୨୬ ଓ ୨୭ ତାରିଖରେ ମଧ୍ୟ କାଳବୈଶାଖୀ ପ୍ରଭାବ ଲାଗିରହିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।

Breaking News