ରିପୋର୍ଟ କାର୍ଡ / ଭୁବନେଶ୍ୱର
ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଗାଡ଼ି ଚାଳକଙ୍କ ଉପରେ ଯେଉଁ ଇ-ଚାଲାଣ କଟାଯାଇଥିଲା ସେ ବାବଦକୁ ଜରିମାନା ଆଦାୟ କରାଯାଇପାରୁନି। ଏହି ବକେୟା ଜରିମାନା ଆଦାୟ ପାଇଁ ଆଜି ପରିବହନ ବିଭାଗ ପକ୍ଷରୁ ଏକକାଳୀନ ସମାଧାନ (ଓଟିଏସ୍) ଘୋଷଣା କରାଯାଇଛି। ପୂର୍ବରୁ କ୍ୟାବିନେଟ୍ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଥିବାବେଳେ ଆଜି ବିଭାଗ ପକ୍ଷରୁ ଏନେଇ ଅଧିସୂଚନା ଜାରି ହୋଇଛି। ଏହା ଆସନ୍ତା ୬ମାସ ପାଇଁ ଲାଗୁ ହେବ। ଏହି ଓଟିଏସ୍ରେ ବହୁ ଜରିମାନା ଉପରେ ଅଧା ଜରିମାନା ଛାଡ଼ କରାଯାଇଛି। ଏପରିକି ସର୍ବାଧିକ ଜରିମାନା ଦେୟ ୫ହଜାର ଟଙ୍କାରେ ସୀମିତ ରଖାଯାଇଛି। ଏଥିରେ ଇ-ଚାଲାଣ କଟାଯାଇଥିବା ସାଧାରଣ ଅପରାଧ ପାଇଁ ୫୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଉପରେ ଅଧା ଛାଡ଼, ଡ୍ରାଇଭିଂ ନିୟମ ଉଲ୍ଲଂଘନ କରିଥିଲେ ୫୦୦ରୁ ହଜାରେ ଟଙ୍କା ଜରିମାନା ଉପରେ ୫୦୦ଟଙ୍କା ଦେବାକୁ ପଡ଼ିବ। ସେହିଭଳି ବିନା ଟିକେଟ୍ରେ ଯାତ୍ରା ଉପରେ ଲାଗିଥିବା ୫୦୦ଟଙ୍କା ଜରିମାନା ଉପରେ ଅଧା ଛାଡ଼, କର୍ତ୍ତୃପକ୍ଷଙ୍କ ନିୟମ ଅବମାନନା ପାଇଁ ୨ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଉପରେ ଅଧା ଛାଡ଼, ସୂଚନା ଦେବାକୁ ମନା କରିବା ପାଇଁ ହୋଇଥିବା ୨ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଉପରେ ଅଧା ଛାଡ଼ , ଓଭରସାଇଜ୍ ଗାଡ଼ି ଉପରେ ଲାଗିଥିବା ୫ହଜାରରୁ ୧୦ହଜାର ଟଙ୍କା ଜରିମାନା ପାଇଁ ୫ହଜାର ଟଙ୍କା, ହାଲୁକା ୪ଚକିଆ ଯାନ ଦ୍ରୁତ ଗତିରେ ଚଲାଇବା ଉପରେ ହୋଇଥିବା ହଜାରେରୁ ୨ହଜାର ଟଙ୍କା ଜରିମାନା ପାଇଁ ୧ହଜାର ଟଙ୍କା, ଭାରୀ ଯାନ ଦ୍ରୁତ ଗତିରେ ଚଲାଇବା ପାଇଁ ହୋଇଥିବା ୨ରୁ ୪ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଉପରେ ୨ହଜାର ଟଙ୍କା, ନାଲିବତି ସିଗନାଲ୍ ଉଲ୍ଲଂଘନ, ଟ୍ରାଫିକ୍ ସିଗନାଲ୍ ନ ମାନିବା, ଗାଡ଼ି ଚଳାଇବାବେଳେ ମୋବାଇଲ୍ ଫୋନ୍ରେ କଥା ହେବା, ନୋ ଓଭରଟେକିଂ ଜୋନ୍ରେ ଓଭରଟେକ୍ କରିବା, ବିପଦପୂର୍ଣ୍ଣ ଗାଡ଼ିଚାଳନା, ରଙ୍ଗରୁଟ୍ରେ ଗାଡ଼ି ଚଳାଇବା ଆଦି ପାଇଁ ହୋଇଥିବା ହଜାରେରୁ ୫ହଜାର ଟଙ୍କା ଜରିମାନାକୁ ୧ହଜାର ଟଙ୍କା କରାଯାଇଛି। ଏହାସହ ମାନସିକ ଅସୁସ୍ଥ ଥିବାବେଳେ ଗାଡ଼ି ଚଳାଇବା ପାଇଁ ହୋଇଥିବା ହଜାରେ ଟଙ୍କା ଜରିମାନାକୁ ୫୦୦ଟଙ୍କା, ବାୟୁ ଓ ଶବ୍ଦ ପ୍ରଦୂଷଣ ପାଇଁ ହୋଇଥିବା ୧୦ହଜାର ଟଙ୍କା ଜରିମାନା ଉପରେ ଅଧା ଛାଡ଼, ବିନା ପଞ୍ଜୀକରଣରେ ଗାଡ଼ି ଚଳାଇବା ପାଇଁ ହୋଇଥିବା ୨ହଜାରରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ପାଇଁ ୨ହଜାର ଟଙ୍କା ଦେଇ ଏକକାଳୀନ ସମାଧାନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସବୁ ଜରିମାନା ଜୁଲାଇ ୩୧, ୨୦୨୫ ପୂର୍ବରୁ ହୋଇଥିବା ଦରକାର। ସେହିପରି ବିଭିନ୍ନ ଅଦାଲତରେ ପଡ଼ି ରହିଥିବା ଏହି ଜରିମାନା ସମ୍ପର୍କିତ ମାମଲାଗୁଡ଼ିକ ଯେପରି ପ୍ରତ୍ୟାହାର କରିହେବ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଟଙ୍କା ଆଦାୟ କରାଯିବ ସେନେଇ ପରିବହନ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ଏହି କମିଟିରେ ଆଇନ ବିଭାଗର ପ୍ରମୁଖ ସଚିବ ଅଧ୍ୟକ୍ଷ ରହିବାକୁ ଥିବାବେଳେ ପରିବହନ କମିସନର ଏହାର ସଦସ୍ୟ ଆବାହକ ରହିବେ। ଏହି କମିଟିରେ ଆଇନ ବିଭାଗର ଅତିରିକ୍ତ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ , ଗୃହ ବିଭାଗର ଜଣେ ଲେଖାଏଁ ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ ସଦସ୍ୟ ରହିବେ।
More Stories
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..
କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ…..
ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ……