Report Card Odisha

| Daily Odia News

ପିଟି ଉଷା, ଇଲିଆ ରାଜା, ବିଜୟେନ୍ଦ୍ର, ବୀରେନ୍ଦ୍ର ରାଜ୍ୟସଭାକୁ ମନୋନୀତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ପ୍ରସିଦ୍ଧ ସଙ୍ଗୀତ ସଂଯୋଜକ ଇଲିଆ ରାଜା, ଦୌଡ଼ରାଣୀ ପିଟି ଉଷା, ଚଳଚ୍ଚିତ୍ର ସଂଳାପ ଲେଖକ କୋଡୁରି ବିଶ୍ବ ବିଜୟେନ୍ଦ୍ର ପ୍ରସାଦ ଓ ଜଣାଶୁଣା ସମାଜସେବୀ ବୀରେନ୍ଦ୍ର ହେଗ୍‌ଡ଼େ। ନିଜସ୍ବ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ସଂସଦର ଉଚ୍ଚ ସଦନକୁ ମନୋନୀତ କରିଛନ୍ତି। ନୂତନ ନିର୍ବାଚିତ ଏହି ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ପ୍ରତିଭାମାନେ ସ୍ବକୀୟ କାର୍ଯ୍ୟ ପାଇଁ ଦେଶବାସୀଙ୍କ ପ୍ରେରଣାର ଉତ୍ସ ଏବଂ ସଂସଦରେ ସେମାନଙ୍କ ମାର୍ଗଦର୍ଶନ ନୀତି ନିର୍ଦ୍ଧାରଣ ସହ ଦେଶବାସୀଙ୍କ ପାଇଁ ଉପାଦେୟ ହେବ ବୋଲି ମୋଦୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ଏଥିପାଇଁ ମନୋନୀତ କରାଯାଇଥାଏ। ରାଷ୍ଟ୍ରପତି ମୋଟ ୧୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ପଠାଇଥାନ୍ତି। ସମ୍ପ୍ରତି ୭ଟି ସ୍ଥାନ ଶୂନ୍ୟ ରହିଛି। ଆଇନଜ୍ଞ ମହେଶ ଜେଠମାଲାନୀ, ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗାନା ସୋନାଲ ମାନସିଂହ, ସମାଜସେବୀ ରାମସକଲ, ସାହିତ୍ୟିକ ଓ ସାମ୍ବାଦିକ ରାକେଶ ସିହ୍ନା ଓ ଆଇନ ବିଶାରଦ ଭାବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ସମ୍ପ୍ରତି ରାଜ୍ୟସଭାର ମନୋନୀତ ସଦସ୍ୟ ଅଛନ୍ତି। ପ୍ରଥମ ୪ ଜଣଙ୍କ କାର୍ଯ୍ୟକାଳ ୨୦୨୪ରେ ଶେଷ ହେଉଥିବା ବେଳେ ଗୋଗଇ ୨୦୨୬ରେ ଅବସର ନେବେ।

 

Breaking News