ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଦ୍ମ ବିଭୂଷଣ ସମ୍ମାନ ପ୍ରାପ୍ତ ଖ୍ୟାତନାମା ଐତିହାସିକ ଓ ଲେଖକ ବାବାସାହେବ ପୁରନ୍ଦରେଙ୍କର ଆଜି ପୁଣେସ୍ଥିତ ‘ଦୀନନାଥ ମଙ୍ଗେସ୍କର୍ ହସ୍ପିଟାଲ୍’ରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ୯୯ ବର୍ଷ ବୟସ ହୋଇଥିବା ପୁରନ୍ଦରେଙ୍କୁ ‘ଲାଇଫ୍ ସପୋର୍ଟ’ରେ ରଖାଯାଇଥିଲା। ଗାଧୁଆ ଘରେ ପଡ଼ିଯିବାରୁ ତାଙ୍କୁ ଶନିବାର ଦିନ ଡାକ୍ତରଖାନାର ‘ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍’ରେ ଭର୍ତ୍ତି କରାଯାଇଥିଲା। ବାବାସାହେବ ନାଁରେ ସୁପରିଚିତ ବଳବନ୍ତ ମୋରେଶ୍ବର ପୁରନ୍ଦରେ ଥିଲେ ଜଣେ ଖ୍ୟାତିସମ୍ପନ୍ନ ଲେଖକ, ଐତିହାସିକ ଏବଂ ଥିଏଟର୍ ବ୍ୟକ୍ତିତ୍ବ। ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ପର୍ଯ୍ୟବେଶିତ କାର୍ଯ୍ୟ ପାଇଁ ତାଙ୍କୁ ପ୍ରସିଦ୍ଧି ମିଳିଥିଲା। ସେ ଶିବାଜୀ, ତାଙ୍କ ଶାସନ ଏବଂ ସେ ଅମଳର ଦୁର୍ଗଗୁଡ଼ିକ ବିଷୟରେ କେତେଗୁଡ଼ିଏ ପୁସ୍ତକ ରଚନା କରିଛନ୍ତି। ଛତ୍ରପତି ଶିବାଜୀଙ୍କ ଉପରେ ଆଧାରିତ ଜନପ୍ରିୟ ନାଟକ ‘ଜାଣତା ରାଜା’ର ସେ ଥିଲେ ନିର୍ଦେଶକ। ପ୍ରାୟ ୫ଟି ଭାଷାରେ ଅଭିନୀତ ଉକ୍ତ ନାଟକରେ ୨୦୦ରୁ ଅଧିକ ଅଭିନେତା ଅଭିନୟ କରିଥିଲେ। ୨୦୧୫ରେ ତାଙ୍କୁ ମହାରାଷ୍ଟ୍ର ସରକାରଙ୍କ ‘ମହାରାଷ୍ଟ୍ର ଭୂଷଣ ସମ୍ମାନ’ ଏବଂ ୨୦୧୯ରେ ଭାରତର ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ବିଭୂଷିତ କରାଯାଇଥିଲା। ସେପଟେ ବାବାସାହେବ ପୁରନ୍ଦରେଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି କହିଛନ୍ତି ଯେ, ‘ଶିବଶାହର ବାବାସାହେବ ପୁରନ୍ଦରେଙ୍କ ଦେହାନ୍ତ ଇତିହାସ ଓ ସଂସ୍କୃତି ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ । ତାଙ୍କ ଯୋଗୁଁ ଆଗାମୀ ପିଢ଼ି ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଅଧିକ ଯୋଡି ହେବେ । ତାଙ୍କର ଅନ୍ୟ କାର୍ଯ୍ୟଗୁଡ଼ିକ ମଧ୍ୟ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……