Report Card Odisha

| Daily Odia News

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନର ବନ୍ଦର ସହର ଗ୍ବଦାରରେ ଆଜି ଚୀନର ଇଞ୍ଜିନିୟରମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ପଟୁଆର ଉପରେ ଆତଙ୍କବାଦୀ ସଂଗଠନ ବେଲୁଚ୍‌ ଲିବରେସନ ଆର୍ମି ଆତ୍ମଘାତୀ ଆକ୍ରମଣ କରିଛି। ଏଥିରେ ଚୀନର ୪ ଜଣ ଇଞ୍ଜିନିୟର ଏବଂ ସେନାର ୯ ଜଣଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ସେନାର ପାଲଟା ଆକ୍ରମଣରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଚୀନର ଆର୍ଥିକ ସହାୟତାରେ ଗ୍ବଦାର ବନ୍ଦର ନିର୍ମାଣ ହେଉଛି। ଏଥିରେ ଚୀନର ଇଞ୍ଜିନିୟରମାନେ କାର୍ଯ୍ୟ କରୁଛନ୍ତି। ବେଲୁଚିସ୍ତାନ ଲିବରେସନ ଆର୍ମିର ଆତ୍ମଘାତୀ ସ୍କ୍ବାଡ୍‌ ମଜିଦ ବ୍ରିଗେଡ ପକ୍ଷରୁ ଆତ୍ମଘାତୀ ଆକ୍ରମଣ କରାଯାଇଛି ବୋଲି ନ୍ୟୁଜ ଏଜେନ୍ସି ଆସୋସିଏଟେଡ ପ୍ରେସ୍ ରବିବାର ସୂଚନା ଦେଇଛି। ବିଏଲ୍‌ଏ ପ୍ରବକକ୍ତା ଜିୟାନ୍ଦ ବେଲୁଚଙ୍କ କହିବାନୁଯାୟୀ ମଜିଦ ବ୍ରିଗେଡର ଦୁଇଜଣ ଆତ୍ମଘାତୀ ଆକ୍ରମଣକାରୀ ଯଥା ନଭିଦ ବେଲୁଚ ଓରଫ ଅସଲାମ ବେଲୁଚ ଏବଂ ମକବୁଲ ବେଲୁଚ ଓରଫ କ୍ବାୟିମ ବେଲୁଚ ଇଞ୍ଜିନିୟରଙ୍କ ଗାଡ଼ିକୁ ଟାର୍ଗେଟ କରିଥିଲେ। ଆତଙ୍କବାଦୀଙ୍କ ଏହି ଆକ୍ରମଣ ୨ ଘଣ୍ଟା ଧରି ଜାରି ରହିଥିଲା ବୋଲି ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଏଥିରେ ଚୀନର ଅତିକମରେ ୪ ଜଣ ନାଗରିକ ଏବଂ ପାକିସ୍ତାନୀ ସେନାର ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହା ପ୍ରାରମ୍ଭିକ ରିପୋର୍ଟ ଏବଂ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ସେ କହିଛନ୍ତି। ଜିୟାନ୍ଦଙ୍କ କହିବାନୁଯାୟୀ, ଆକ୍ରମଣ କରିବା ପରେ ଆତଙ୍କବାଦୀ ଦ୍ବୟ ନିଜର ବନ୍ଧୁକ ଗୁଳିରେ ଆତ୍ମହତ୍ୟା କରିଛନ୍ତି। ସକାଳ ପ୍ରାୟ ୯ଟା ୩୦ରେ ଏହି ଆକ୍ରମଣ ହୋଇଥିଲା ଏବଂ ଦୁଇ ପକ୍ଷ ମଧ୍ୟରେ ପ୍ରାୟ ଦୁଇଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା।

Breaking News